ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକର କିଛି ଚାଷୀ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫ ଧାନ ବିକ୍ରୀ କରିଥିଲେ । ମାତ୍ର ଦୀର୍ଘ ୮ ମାସ ପରେ ମଧ୍ୟ ଧାନ ବିକ୍ରୀ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ । ଏନେଇ ଚାଷୀ ବଲାଙ୍ଗିର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମବାୟ ସମିତି ସମୂହ ନିବନ୍ଧକଙ୍କୁ ଅନେକ ଥର ଗୁହାରି କରିଛନ୍ତି । ହେଲେ ସେମାନଙ୍କୁ ପାଉଣା ମିଳି ପାରିନାହିଁ । ଶେଷରେ ଧାରଣାରେ ବସିଛନ୍ତି ଚାଷୀ ।
ମୁରିବାହାଲର ଚାଷୀ ଭଗବାନ ମାଝୀ, ଦିବାକର ରଣା, ବିପିନ ରଣା ତେନ୍ତୁଲିଖୁଣ୍ଟି ମଣ୍ଡିରେ ଖରିଫ ଧାନ ବିକ୍ରୀ କରିଥିଲେ l ହେଲେ ଦୀର୍ଘ ମାସ ପରେ ମଧ୍ୟ ଧାନ ବିକ୍ରୀ ଟଙ୍କା ମିଳି ନ ଥିଲା । ଏନେଇ ଚାଷୀ ବଲାଙ୍ଗିର ଜିଲାପାଳ, ଜିଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପଖଣ୍ଡ ସମବାୟ ସମିତି ସମୂହ ନିବନ୍ଧକ ସନ୍ତୋଷ ମଲ୍ଲିକଙ୍କୁ ଅନେକ ଥର ଗୁହାରି କରିଛନ୍ତି ଗତ ୧୬ରେ ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ପୁଣି ଥରେ ଫେରାଦ ହେଵା ସହ ଟିଟିଲାଗଡ଼ ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଏନେଇ ବଡ଼ ତେନ୍ତୁଲିଖୁଣ୍ଟି ପେକ୍ସ ଡିଇଓ ଅଗଷ୍ଟ ୨୬ ତାରିଖ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇ ଆଶ୍ୱସନା ଦେଇଥିଲେ ଟିଟିଲାଗଡ଼ ସମବାୟ ସମିତି ଉପନିବନ୍ଧକ । ନିର୍ଦ୍ଧାରିତ ଦିନ ଆସି ଚାଷୀ ପହଁଚିବା ପରେ କାହାର ଦେଖା ଦର୍ଶନ ମିଳି ନ ଥିଲା । ସେପଟେ ସମିତି ଉପନିବନ୍ଧକ ନିଜ ଫୋନ ସ୍ୱିଚ ଅଫ କରିଦେଇଛନ୍ତି । ଫଳରେ ଚାଷୀମାନେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ।
ଅନ୍ୟପକ୍ଷରେ ସମ୍ପୃକ୍ତ ଡିଇଓ ଗଙ୍ଗାଧର ନାଗଙ୍କୁ ଯୋଗାଯୋଗ କରିବାରୁ ସେ ପୁଣି ସମୟ ମାଗିଛନ୍ତି । ଚାଷୀ ଧାରଣା ଦେଇଥିବା ଖବର ପାଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ଆଜି ଚାଷୀଙ୍କ ସମସ୍ୟା ନେଇ ବୁଝାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ପରେ ଚାଷୀ ଧାରଣାରୁ ଉଠିଥିବା ଜଣାପଡ଼ିଛି ।