ବଲାଙ୍ଗୀର: ପୁଣି ଚାଷୀ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରୀ କରିଥିଵା ଚାଷୀମାନେ ଧାରଣା ଦେଇଛନ୍ତି। ତାଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ। ଏହାକୁ ନେଇ ଚାଷୀ ଆଜି ଦ୍ଵିତୀୟ ଦିବସରେ ଟିଟିଲାଗଡ଼ ଠାରେ ସମବାୟ ସମିତି ସହାୟକ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ସୋମବାର ଦୀର୍ଘ ୩ ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଛୁଟି ଦିନ ଥିବାରୁ ଆସନ୍ତା କାଲି ଆସିବାକୁ ବୁଝାଇ ଚାଷୀଙ୍କୁ ଧାରଣାରୁ ଅନୁରୋଧ କରିଥିଲେ। ମଙ୍ଗଳବାର ପୁଣି ଥରେ ପୀଡିତ ଚାଷୀ ଭଗବାନ ମାଝୀ, ବିପିନ ରଣା, ଦିବାକର ରଣା ଧାରଣା ଆରମ୍ଭ କରିଥିଲେ। ସୂଚନା ଯେ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରୀ କରିଥିଲେ। ହେଲେ ଅଦ୍ୟାବଧି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନାହିଁ।
ଏନେଇ ଟିଟିଲାଗଡ଼ କୃଷକ ସଂଘର୍ଷ ଅଭିଯାନ ସମିତି ସଭାପତି ବାଲକୃଷ୍ଣ ଷଣ୍ଢ ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ସାକ୍ଷାତ ସହ ପ୍ରଶାସନର ଚାଷୀ ମାରଣ ନୀତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଟିଟିଲାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଧାରଣାସ୍ଥଳକୁ ଯାଇ ଆସନ୍ତା ୩୦ ତାରିଖ ମଧ୍ୟରେ ଧାନ ବିକ୍ରୀ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଂଗ୍ରହ କରିଥିଲେ। ପରେ ଚାଷୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି।