ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଯାଇଛି। ବିଭିନ୍ନ ଅଞ୍ଚଳରୁ ବନ୍ୟାଜଳ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବର୍ଷା ଛାଡ଼ିବା ପରେ ଏବେ ଚାଷ ଜମି ବୁଡି ରହିଛି , ଆଉ ଚାଷୀମାନେ ମୁଣ୍ଡରେ ହାତ ଦେଇକି ବସିଛନ୍ତି। କାହିଁକି ନା ଏତେ ପରିଶ୍ରମ କରି ଧାର କରଜରେ ଯେଉଁ ଋଣ କରିକି ଚାଷ କରିଥିଲେ ସେ ସବୁ ବର୍ଷା ପାଣିରେ ଧୋଇ ନଷ୍ଟ ହେଇଯାଇଛି | ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବା ଯୋଗୁଁ ଧାନ ସହ ରବି ଫସଲ ଓ ପନିପରିବା ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାରେ ନଦୀ କୁଳିଆ ଅଞ୍ଚଳଗୁଡ଼ିକରେ ପ୍ରାୟ ୫୦୦ ହେକ୍ଟରୁ ଅଧିକ ଚାଷ ଜମି ବନ୍ୟାପାଣିରେ ବୁଡ଼ି ରହିଥିଲା ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ୟାଜଳ ହ୍ରାସ ପାଇଥିବା ବେଳେ ଶହଶହ ଏକର ଚାଷଜମି କ୍ଷତି ଗ୍ରସ୍ତ ଅଛି | ଧାନଚାଷଠାରୁ ଆରମ୍ଭ କରି ବିରି, ମୁଗ, ରବି ଫସଲ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି । । ବର୍ଷଯାକ ପରିବାରକୁ କିପରି ଚଳାଇବେ, ତାହାକୁ ନେଇ ଏବେ ଚିନ୍ତାରେ ଚାଷୀଭାଇ | ଏ ବାବଦରେ କ୍ଷତିପୂରଣ ଦେବା ଲାଗି ଚାଷୀ ନେତାମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । କୃଷି ବିଭାଗ ପକ୍ଷରୁ ଗତକାଲି ସୁଦ୍ଧା ୫୦୦ ହେକ୍ଟର ଚାଷଜମି ଜଳମଗ୍ନ ରହିଥିଲା ବୋଲି ସୂଚନା ଦିଆଯାଇଛି। ଜଳସ୍ତର ସଂପୂର୍ଣ୍ଣ କମିଗଲେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।