ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ସାରା ଦେଶ ଶୋକରେ ବୁଡ଼ିଛି । ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସପ୍ତାହକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିବା ସହିତ ଜାତୀୟ ପତାକା ମଧ୍ୟ ଅର୍ଦ୍ଧନମିତ ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ବଲିଉଡ୍ ଦୁନିଆର ବହୁ ନାମୀଦାମୀ କଳାକାର ମଧ୍ୟ ଶୋକ ବ୍ୟକ୍ତ କରୁଛନ୍ତି । ତେବେ ଏହାରି ମଧ୍ୟରେ ସୁପରଷ୍ଟାର ସଲମାନ ଖାନଙ୍କ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଆଜି ରିଲିଜ୍ ହେବାକୁ ଥିବା ଭାଇଜାନଙ୍କ ଆଗମୀ ଫିଲ୍ମ ସିକନ୍ଦରର ଟିଜର୍ ରିଲିଜକୁ ସ୍ଥଗିତ ରଖାଯାଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପରେ ସିକନ୍ଦରର ନିର୍ମାତା ସାଜିଦ ନାଡ଼ିୟାୱାଲା ବଡ଼ ଘୋଷଣା କରିଛନ୍ତି । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ଆଜି ତାଙ୍କ ଅଭିନୀତ ସିକନ୍ଦର ଫିଲ୍ମର ପ୍ରଥମ ଝଲକ୍ ଦର୍ଶକମାନେ ଦେଖିବାକୁ ପାଇଥାଆନ୍ତେ । ମାତ୍ର ଆଜି ତାହାକୁ ସ୍ଥଗିତ ରଖାଯାଇଛି । ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୨୮ ତାରିଖ ପୂର୍ବାହ୍ନ ୧୧.୦୭ରେ ଟିଜର୍ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଏଭଳି ଏକ ଶୋକାକୂଳ ପରିବେଶରେ ଆମର ସମ୍ବେଦନା ଦେଶ ସହିତ ରହିଛି ବୋଲି ସାଜିଦ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଗତକାଲି ସିକନ୍ଦରର ଷ୍ଟାର୍ ସଲମାନଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ୨୭ ଡିସେମ୍ବର ସଲମାନଙ୍କ ଜନ୍ମ ଦିନ ଅବସରରେ ଫିଲ୍ମର ଟିଜର୍ ରିଲିଜ୍ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଆସନ୍ତା ବର୍ଷ ଇଦ୍ ଅବସରରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏଥିଲେ ସଲମାନ ମୁଖ୍ୟ ଭୂମିକାରେ ଥିବାବେଳେ ରଶ୍ମିକା ମନ୍ଦାନା ତାଙ୍କ ବିପକ୍ଷରେ ନଜର ଆସିବେ । ସେହିପରି କାଜଲ ଅଗ୍ରୱାଲ, ସରମନ ଯୋଶୀ, ପ୍ରତୀକ ପାଟିଲ୍ ବବ୍ବରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏ.ଆର ମୁରୁଗଦାସ ।