ନୂଆଦିଲ୍ଲୀ: ଇଣ୍ଡିଆଜ୍ ଗଟ୍ ଲ୍ୟାଣ୍ଟେଟ୍ ଶୋରୁ ବିବାଦ ଘେରକୁ ଆସିଥିବା ରଣବୀର ଆହ୍ଲାବାଦିଆଙ୍କ ପାଇଁ ଓକିଲାତି କରୁଥିବା ରାକ୍ଷୀ ସାୱନ୍ତ ହରଡ଼ଘଣାରେ ପଡ଼ିଛନ୍ତି । ମହାରାଷ୍ଟ୍ରର ସାଇବର ସେଲ୍ ରାକ୍ଷୀଙ୍କୁ ନୋଟିସ୍ ଜାରି କରିଛି । ରାକ୍ଷୀ ସମୟ ରୈନାଙ୍କ ଶୋରେ ଥରେ ବିଚାରପତିଭାବେ ଯୋଗ ଦେଇଥିଲେ । ସେଥିପାଇଁ ତାଙ୍କୁ ସମନ ଜାରି ହୋଇଥିବା ଜଣାପଡ଼ିଛି ।
ରାକ୍ଷୀ ସାୱନ୍ତଙ୍କୁ ଫେବୃଆରୀ ୨୭ ତାରିଖରେ ଇଣ୍ଡିଆଜ୍ ଗଟ୍ ଲ୍ୟାଣ୍ଟେଟ୍ ଶୋ ବିଷୟରେ ସାଇବର ସେଲ ପଚରାଉଚରା କରିବ । ରାକ୍ଷୀ ଏ ନେଇ ନିଜର ବୟାନ ରଖିବେ । ଅନ୍ୟପକ୍ଷରେ ଫେବୃଆରୀ ୨୪ ତାରିଖରେ ଆଶୀଷ ଚଞ୍ଚଲାନୀ ଏବଂ ରଣବୀର ଆହ୍ଲାବାଦିଆ ନିଜର ବୟାନ ରଖିବେ । ସେହିପରି ସମୟ ରୈନା ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କିନ୍ତୁ ସାଇବର ସେଲ୍ ତାଙ୍କର ଅନୁରୋଧ ରକ୍ଷା କରିବାକୁ ସଫା ସଫା ମନା କରିଦେଇଛି ।
ସମୟ ରୈନାଙ୍କ ଇଣ୍ଡିଆଜ୍ ଗଟ୍ ଲ୍ୟାଣ୍ଟେଟ୍ ଶୋରେ ରଣବୀର ଆହ୍ଲାବାଦିୟା ଅତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଯେଉଁଥିପାଇଁ ସାରା ଦେଶରେ ତାଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ସେ ଏ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ଏହାରି ମଧ୍ୟରେ ରଣବୀରଙ୍କୁ ସପକ୍ଷରେ ବାହାରି ତାଙ୍କୁ କ୍ଷମା କରିବାକୁ ରାକ୍ଷୀ ସାୱନ୍ତ ମଧ୍ୟ ସୋସିଆଲ୍ ମିଡ଼ିଆରେ ଅନୁରୋଧ କରିଥିଲେ ।
ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟଙ୍କା ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ ମଧ୍ୟ ରଣବୀରଙ୍କ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ରଖିଥିଲେ । ତଥାପି ରଣବୀରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।