ମୁମ୍ବାଇ: ମଧ୍ୟ ପ୍ରଦେଶର ନିକିତା ପୋରୱାଲ ଚଳିତ ବର୍ଷ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି । ମୁମ୍ବାଇରେ ଆୟୋଜିତ ୬୦ତମ ମିସ ଇଣ୍ଡିଆ-୨୦୨୪ର ଫାଇନାଲ ରାଉଣ୍ଡରେ ବିଚାରପତିଙ୍କ ହୃଦୟ ଜିତି ୧୮ ବର୍ଷିୟା ନିକିତା ବିଜୟ ମୁକୁଟ ହାସଲ କରିଛନ୍ତି । ଏବେ ସେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ।
ଦାଦ୍ରା ଏବଂ ନଗର ହାଭେଲି(କେନ୍ଦ୍ର ଶାସିତ ଅଞ୍ଚଳ)ର ରେଖା ପାଣ୍ଡେ ଫେମିନା ମିସ୍ ଇଣ୍ଡିଆ-୨୦୨୪ର ଦ୍ୱିତୀୟ ସ୍ଥାନରେ ହୋଇଥିବାବେଳେ ଗୁଜରାଟର ଆୟୁଷୀ ଢୋଲକିଆ ତୃତୀୟ ସ୍ଥାନରେ ରହିଛନ୍ତି ।
ମଧ୍ୟ ପ୍ରଦେଶର ଉଜୈନରେ ଜନ୍ମ ଗ୍ରହଣ କରିଥିବା ନିକିତା ପୋରୱାଲ କାରମେଲ କଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲରୁ ଶିକ୍ଷା ଶେଷ କରିବା ପରେ ବଦୋଦରାର ମହାରାଜା ସାୟାଜିରାଓ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ଅଭିନୟ ବହୁତ ରୁଚି ରଖନ୍ତି । ସେ ଏଯାବତ ୬୦ଟି ନାଟକରେ ଅଭିନୟ କରିଛନ୍ତି । ସେ ଚମ୍ବଲ ପାର୍ ରେ ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି । ସେ ସୁନାମ ଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀଙ୍କ ସହିତ କାମ କରିବା ତାଙ୍କର ଗୋଟେ ସ୍ୱପ୍ନ ବୋଲି ସେ କହିଛନ୍ତି ।