ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ବାରମ୍ବାର ତାଙ୍କୁ ହତ୍ୟା କରିବା ଉଦ୍ୟମ ଏବଂ ଧମକ ଭଳି ଘଟଣା ବଢ଼ି ଚାଲିଛି । ପୁଣି ଦବାଙ୍ଗ ଖାନଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି । ସେ ପୁଣି ମୁମ୍ବାଇ ପୁଲିସ ନିକଟକୁ । ୫ କୋଟି ଟଙ୍କା ଦେଇ ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ ସହିତ ମାମଲା ରଫାଦଫା କରିବାରୁ କୁହାଯାଇଛି ।
ଗୁରୁବାର ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ୱାଟ୍ସଅପ୍ ଜରିଆରେ ସଲମାନଙ୍କ ପାଇଁ ଧମକ ଆସିଛି । ଧମକକୁ ହାଲୁକା ଭାବରେ ନ ନେବାକୁ ମେସେଜରେ କୁହାଯାଇଛି । ଯଦି ସଲମାନ ଖାନ ତାଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଲରେନ୍ସ ବିଷ୍ଣୋଇ ସହିତ ଶତ୍ରୁତା ଶେଷ କରିବାକୁ ଚାହୁଁଛନ୍ତି, ତେବେ ସେ ୫ କୋଟି ଟଙ୍କା ଦେଇ ଦିଅନ୍ତୁ । ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କଠାରୁ ଆହୁରି ଭୟଙ୍କର ହେବା ବୋଲି ଚେତାବନୀ ଦିଆଯାଇଛି । ତେବେ ଏଭଳି ଧମକ ମିଳିବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ସେପଟେ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ । ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇ ଗାଙ୍ଗ୍ ସୁପାରୀ ନେଇଛି । ସଲମାନଙ୍କ ପାନଭେଲ୍ ସ୍ଥିତ ଫାର୍ମହାଉସ୍ ନିକଟରେ ତାଙ୍କୁ ହତ୍ୟା ପାଇଁ କରାଯାଇଥିଲା ପ୍ଲାନିଁ । ଏଥିପାଇଁ ୨୫ଲକ୍ଷ ଟଙ୍କା ସୁପାରୀ ଦିଆଯାଇଛି । ଗୁରବାର ନଭି ମୁମ୍ବାଇ ପୁଲିସ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍ରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରାଯାଇଛି । ଚାର୍ଜସିଟ୍ରେ ପୁଲିସ ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଏଥିପାଇଁ ଅଭିଯୁକ୍ତମାନେ ପାକିସ୍ତାନରୁ ଏକେ ୪୭, ଏକେ-୯୨, ଏମ୍-୬, ତୁର୍କୀ ନିର୍ମିତ ଜିଗାନା ବନ୍ଧୁକ କିଣିବାକୁ ଯୋଜନା କରିଥିଲେ । ହତ୍ୟା ପାଇଁ ୧୮ ବର୍ଷରୁ କମ୍ ବୟସର ନାବାଳକମାନଙ୍କୁ ତାଲିମ ଦିଆଯାଇଥିଲା । ଏମାନେ ପୁନେ, ରାଇଗଡ଼, ନଭି ମୁମ୍ବାଇ, ଥାନେ ଓ ଗୁଜୁରାଟରେ ନିୟୋଜିତ ଥିଲେ । ୬୦-୭୦ ଜଣ ବ୍ୟକ୍ତି ସଲମାନ ଖାନ୍ଙ୍କ ଉପରେ ବିଶେଷତଃ ବାନ୍ଦ୍ରା ବାସଭବନ, ପାନଭେଲ୍ ଫାର୍ମହାଉସ୍ ଓ ଗୋରେଗାଓଁ ଫିଲ୍ମସିଟି ଉପରେ ନଜର ରଖିଥିଲେ । ସଲମାନଙ୍କୁ ଏପ୍ରିଲ୍ ୨୦୨୩ରୁ ଏପ୍ରିଲ୍ ୨୦୨୪ ମଧ୍ୟରେ ହତ୍ୟା କରିବାକୁ ଯୋଜନା ହୋଇଥିଲା ।