ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ୱାମୀ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ଆର୍ଥିକ ଠକେଇ ମାମଲାରେ ବମ୍ବେ ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି । ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି ମାନ୍ୟବର ଅଦାଲତ ।
୬୦ କୋଟି ହେରଫେର ମାମଲାରେ ଅର୍ଥନୈତିକ ଅପରାଧ ଶାଖା ଶିଳ୍ପା ସେଟ୍ଟୀ ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଯଦ୍ୱାରା ଉଭୟ ବିଦେଶ ଯାତ୍ରା କରିପାରିବେ ନାହିଁ । ଶିଳ୍ପାଙ୍କୁ ଏକ ଇଭେଣ୍ଟରେ ଯୋଗ ଦେବାକୁ ଶ୍ରୀଲଙ୍କାର କଲମ୍ବୋ ଯିବାର ଥିଲା । ଏଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଶିଳ୍ପାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ, ୟୁଟ୍ୟୁବ୍ ଇଭେଣ୍ଟ ପାଇଁ କଲମ୍ବୋ ଯିବାକୁ ପଡ଼ିବ । କୋର୍ଟ ତାଙ୍କୁ ନିମନ୍ତ୍ରଣ ପତ୍ର ମାଗିଥିଲେ । ମାତ୍ର ଓକିଲ କହିଥିଲେ ଯେ ନିମନ୍ତ୍ରଣ ପତ୍ର ମିଳି ନାହିଁ ଏବଂ ସେଠାରେ ପହଁଚିଲା ପରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବ । ବମ୍ବେ ହାଇକୋର୍ଟ ତୁରନ୍ତ ଏହି ଦାବିକୁ ଖାରଜ କରିଦେଇଥିଲେ । କୋର୍ଟ ରାୟ ଦେଇଛନ୍ତି ଯେ ବିଦେଶ ଯାତ୍ରା ପାଇଁ ଅନୁମତି ମାଗିବା ପୂର୍ବରୁ ଦମ୍ପତିଙ୍କୁ ଠକେଇ ମାମଲାରେ ପ୍ରଥମେ ୬୦ କୋଟି ଦେବାକୁ ପଡିବ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ ତାରିଖରେ ହେବ। ଏହା ଉଲ୍ଲେଖନୀୟ ଯେ ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ଶିଳ୍ପା ଏବଂ ରାଜଙ୍କୁ ଥାଇଲ୍ୟାଣ୍ଡର ଫୁକେଟ୍ ଯାତ୍ରା କରିବାକୁ ବାରଣ କରିଥିଲେ। କୋର୍ଟ କହିଛନ୍ତି ଯେ ଦମ୍ପତିଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ବିଚାରାଧୀନ ଅଛି।
ସୂଚନା ଅନୁଯାୟୀ, ଲୋଟସ୍ କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡର ନିର୍ଦ୍ଦେଶକ ତଥା ବ୍ୟବସାୟୀ ଦୀପକ କୋଠାରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ଠକେଇର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଏହି ଦମ୍ପତି ପ୍ରଥମେ ତାଙ୍କୁ ବ୍ୟବସାୟରେ ୬୦ କୋଟି ଟଙ୍କା ନିବେଶ କରିବାକୁ ଠକିଥିଲେ ଏବଂ ପରେ ସେହି ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ ।