ପୁରୀ: ପୁଣି ଥରେ ନିଜର ମହାନତା ଦେଖାଇଛନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ମୃତ ଚାଷୀ ପରିବାରକୁ ସାହା ହୋଇଛନ୍ତି ରାଣୀ । ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହେଉଥିବା ରାଣୀ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରକୁ ମଧ୍ୟ ସାହା ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।
ଅଦିନିଆ ବର୍ଷା ଚଷା ପୁଅର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଉଜୁଡ଼ା ଫସଲକୁ ଦେଖିଲେ ଚାଷୀର ଛାତି ଫାଟି ଯାଉଛି । ସେହିପରି ପାଣି ସରସର ନିଜର ସୁନାର ଫସଲକୁ ଦେଖିବାପରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ବୀର ରାମଚନ୍ଦ୍ରପୁର ପଞ୍ଚାୟତର ଡୁଙ୍ଗୁର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ଶୁକ୍ରବାର ସକାଳୁ ସକାଳୁ ଅଭିନେତ୍ରୀ ରାଣୀ ପଣ୍ଡା ଡୁଙ୍ଗୁର ଗ୍ରାମରେ ପହଁଚି ଯାଇଥିଲେ । ପରିବାର ଲୋକଙ୍କ ସହିତ ଆଲୋଚନା କରିବା ପରେ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।
ସେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ପାର୍ବତୀ ଦଳେଇଙ୍କ ନାମରେ ୧ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି । ଏହି ସହିତ ଏକଦଶ କର୍ମ ପାଇଁ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଣୀ । ପୂର୍ଣ୍ଣଚନ୍ଦ୍ରଙ୍କ ଏକାଦଶରେ ୮୦୦ ଲୋକଙ୍କ ମହାପ୍ରସାଦ ଭୋଜନ ଦେବାକୁ ମଧ୍ୟ କହିଛନ୍ତି । ଏ ନେଇ ରାଣୀ ତାଙ୍କ ଫ୍ୟାନ୍ କ୍ଲବ ପେଜ୍ ରେ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବୃଦ୍ଧା ପୂର୍ଣ୍ଣଚନ୍ଦ୍ର ଦଳେଇ ବିଲକୁ ଧାନ ଦେଖିବାକୁ ଯାଇଥିଲା । ସେଠାରେ ହିଁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହେବାରୁ ତାଙ୍କର ଏପରି ସ୍ଥିତି ହେଲା ବୋଲି ପରିବାର ଲୋକେ କହିଛନ୍ତି ।