ମୁମ୍ବାଇ: ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା । ମୋବାଇଲ୍ ଆପ୍ ଜରିଆରେ ଅଶ୍ଳୀଳ କନଣ୍ଟେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ କିଛି ଲୋକଙ୍କ ଘରେ ମଧ୍ୟ ଇଡି ପଶିଥିବା ଜଣାପଡ଼ିଛି । ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ୨୦୨୧ରେ ହୋଇଥିବା ମାମଲା ସହିତ ଇଡିର ଆଜିର ଚଢ଼ାଉ ଆଧାରିତ ଅଟେ ।
ସୂଚନା ଯୋଗ୍ୟ, ୨୦୨୧ ମସିହା ଜୁନ୍ ମାସରେ ଅଶ୍ଳୀଳ ଭିଡ଼ିଓ ତିଆରି କରିବା ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ । ସେପ୍ଟେମ୍ବର, ୨୦୨୧ରେ ସିଟି କୋର୍ଟରୁ ଜାମିନ ପ୍ରଦାନ କରିବା ପରେ ଜେଲରୁ ମୁକୁଳି ଥିଲେ । ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ।
୨୦୨୧ ଫେବୃଆରୀ ମଡ୍ ଆଇଲ୍ୟାଣ୍ଡରେ ଥିବା ଏକ ବଙ୍ଗଳାରେ ପୁଲିସ ଚଢ଼ଉ କରିଥିଲା । ସେଠାରେ ଅଶ୍ଳୀଳ ଭିଡ଼ିଓର ଶୁଟିଂ କରାଯାଏ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଆଉ ଏଥିରେ ରାଜ କୁନ୍ଦ୍ରାଙ୍କର ହାତ ଥିବା ପୁଲିସ ଜାଣିବାକୁ ପାଇଥିଲା ।
ତେବେ ଗତ କିଛି ମାସ ତଳେ ଶିଳ୍ପା ସେଟ୍ଟୀଙ୍କ ଜୁହୁସ୍ଥିତ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ବିଟ୍ କଏନ୍ ଯୋଜନା (୨୦୦୨) ଘୋଟାଲା ମାମଲାରେ ଚଢ଼ାଉ କରିଥିଲା ଏବଂ ଇକ୍ୟୁଟି ସେୟାର ସମେତ ୯୭.୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।