ମୁମ୍ବାଇ: ବଲିଉଡର ଜଣାଶୁଣା ତଥା ଆଗ ଧାଡ଼ିର ନୃତ୍ୟ ଗୁରୁ ତଥା ନିର୍ଦ୍ଦେଶକ ରେମୋ ଡିସୌଜା ଏବଂ ତାଙ୍କ ପତ୍ନୀ ଲିଜେଲ୍ ଡିସୌଜାଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ । ଏଥିରେ ଆହୁରି ୫ ଜଣଙ୍କ ନାଁ ମଧ୍ୟ ସାମିଲ ରହିଛି । ୧୧ କୋଟି ୯୬ ଲକ୍ଷ ଟଙ୍କା ଠକେଇ କରିଥିବା ଏତଲାରେ ଉଲ୍ଲେଖ କରାଯାଇଥିବା ନେଇ ମୁମ୍ବାଇର ଥାଣେ ପୁଲିସ କହିଛି ।
ଜଣେ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଜଣେ ୨୬ ବର୍ଷୀୟ ଡ୍ୟାନ୍ସର୍ ରେମୋ ଡିସୌଜା ଏବଂ ତାଙ୍କ ପତ୍ନୀ ଲିଜେଲ୍ ଡିସୌଜାଙ୍କ ସମେତ ୭ ଜଣଙ୍କ ବିରୋଧରେ ଠକେଇ ଅଭିଯୋଗ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓମ୍ ପ୍ରକାଶ ଶଙ୍କର ଚୌହ୍ୱାନ, ରୋହିତ ଯାଦବ, ଫ୍ରେମ୍ ପ୍ରଡକ୍ସନ କମ୍ପାନୀ, ବିନୋଦ ରାଉତ, ରମେଶ ଗୁପ୍ତା ଏବଂ ଜଣେ ପୁଲିସ କର୍ମଚାରୀଙ୍କ ନାମ ସାମିଲ ରହିଛି । ପୀଡ଼ିତ ଯୁବକ ଜଣକ ମୀରା ରୋଡ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସମସ୍ତଙ୍କ ବିରୋଧରେ ଧାରା ୪୬୫ (ଜାଲିଆତି କରିବା), ୪୨୦ (ଧୋକା) ଆଦି ଆଧାରରେ ମାମଲା ରୁଜୁ କରିଛି ।
ଅଭିଯୋଗ ମୁତାବକ, ୨୦୧୮-୨୦୨୪ ମଧ୍ୟରେ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ଗ୍ରୁପ୍ ସହିତ ଏହି ଠକେଇ କରାଯାଇଛି । ଏହି ଗ୍ରୁପ୍ ଏକ ଟିଭି ରିଆଲିଟି ସୋରେ ବିଜୟ ହାସଲ କରିଥିଲା । ରେମୋ ଏବଂ ତାଙ୍କ ସହଯୋଗୀମାନେ ନିଜ ଗ୍ରୁପ୍ ଜିତିଛି ବୋଲି ଦେଖାଇଲେ ଏବଂ ଏହା ସହିତ ତାଙ୍କର ଯେତିକି ପ୍ରାପ୍ୟ ଅର୍ଥରାଶି ୧୧.୯୬ କୋଟି ହଡ଼ପ କରି ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ମାମଲା ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।