ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ରହସ୍ୟ ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି। ବିଭିନ୍ନ ଡିଗକୁ ନେଇ ପୋଲିସ ଖୋଳତାଡ଼ କରୁଛି। ନିର୍ଣ୍ଣାୟକ ମୋଡରେ ପହଁଚିବା ନେଇ ତଦନ୍ତ ତ୍ୱରାନ୍ୱିତ ହୋଇଛି । ପୋଷ୍ଟ ମୋଟମ ରିପୋର୍ଟ ଆସିବା ପରେ ତଦନ୍ତରେ ଆଗକୁ ବଢିବା ପାଇଁ ପୋଲିସକୁ ସହଜ ହେଉଛି।
ପୋଲିସର ହସ୍ତଗତ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ହେଉଛି ଆଣ୍ଟି ମୋର୍ଟମ ହ୍ୟାଙ୍ଗିଙ୍ଗ ବା ସୁଇସାଇଡ଼ ବାଏ ହ୍ୟାଙ୍ଗିଙ୍ଗ
ଅର୍ଥାତ ଝୁଲିକି ଆତ୍ମହତ୍ୟା କରିଛନ୍ତି ରଶ୍ମିରେଖା । ଏନେଇ ଡିସିପି ସ୍ପଷ୍ଟ କରିଛନ୍ତି, ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି ।ଡିପ୍ରେସନ କାରଣରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି ।
ହେଲେ ଏ ଡିପ୍ରେଶନର କାରଣ କଣ । କାହିଁକି ଡିପ୍ରେଶନରେ ରହିଥିଲେ ରଶ୍ମିରେଖା। କେତେଦିନ ଧରି ମାନସିକ ଭାବେ ଅସୁସ୍ଥ ଥିଲେ ସେ। ଏ ବାବଦରେ ପରିବାର ଲୋକଙ୍କୁ ଜଣେଇ ଥିଲେ କି ନାହିଁ। ଏ ପୁରା ଘଟଣାରୁ ପରଦା ହଟେଇବା ପାଇଁ ପୋଲିସର ଖୋଳତାଡ ଜାରି ରହିଛି । ରଶ୍ମିରେଖାଙ୍କ ମୋବାଇଲକୁ ଅନ ଲକ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।