ଦୀର୍ଘ ୫ରୁ ୬ବର୍ଷ ପରେ ପୁଣି ଥରେ ରୂପେଲି ପରଦାକୁ ଫେରୁଛନ୍ତି ବଲିଉଡର ବେଶ ଲୋକପ୍ରିୟ ଅଭିନେତା ନାନା ପାଟେକର। ଖୁବ ଜଲଦି ନାନା ପାଟେକରଙ୍କୁ ‘ଦ ଭ୍ୟାକସିନ ୱାର’ ସିନେମାରେ ଦେଖାଯିବ । ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଟି ରିଲିଜ ହେବା ପରେ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଦର୍ଶକମାନେ ଏଥିରେ ନାନା ପାଟେକର ଏବଂ ରାଇମା ସେନଙ୍କ ଅଭିନୟକୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । କିପରି କୋଭିଡ-19 ଭାଇରସ ପାଇଁ କୋଟି କୋଟି ଲୋକ ନିଜ ପ୍ରାଣ ହରାଇଥିଲେ । ସମସ୍ତେ ଘରେ ବନ୍ଦ ଥିବା ବେଳେ ସେହି ଭାଇରସକୁ ଅଟକାଇବା ପାଇଁ ଭାରତୀୟ ବୈଜ୍ଞାନିକମାନେ କିପରି ନିଜ ଜୀବନକୁ ବାଜି ଲଗେଇ ସମସ୍ତ ସମସ୍ୟାର ସମ୍ମୁଖୀନ କରିଥିଲେ ତାହା ଏହି ଫିଲ୍ମରେ ଦର୍ଶା ଯାଇଛି । ଏହି ଫିଲ୍ମରେ ନାନା ପାଟେକରଙ୍କ ସମେତ ଅନୁପମ ଖେରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ସିନେମାର ଟ୍ରେଲର ଲଞ୍ଚ ପରେ ନାନା ପରଦାକୁ ଫେରିଥିବା ନେଇ ଏକ ସାକ୍ଷାତକାର ହୋଇଥିଲା। ସେଠାରେ ନାନା ପାଟେକର କିଛି ଏଭଳି କଥା କହିଥିଲେ, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି।
ମୋ ଅନ୍ତିମ ସଂସ୍କାର ପାଇଁ କାଠ ରଖିସାରିଛି । ଏହା ମୋର ଶେଷ ସମ୍ପତ୍ତି । ନାନା ପାଟେକରଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ସେହି ସାକ୍ଷାତକାରରେ ନାନାଙ୍କୁ ପଚରାଯାଇଥିଲା ଯେ, ବଲିଉଡ ଇଣ୍ଡଷ୍ଟ୍ରିରେ ଏତେ ବର୍ଷ ରହିବା ପରେ ବି ଆପଣଙ୍କ ମଧ୍ୟରେ ନିଜକୁ ଦେଖାଇ ହେବା ବା ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାର ଇଚ୍ଛା କାହିଁକି ଆସିନାହିଁ ? ଏହାର ପ୍ରତିଉତ୍ତରରେ ନାନା କହିଥିଲେ, ମୋର ମୃତ୍ୟୁ ଉପରେ ଭରସା ଅଛି। ମୃତ୍ୟୁ ପରେ କେବଳ ୧୨ଖଣ୍ଡ କାଠ ଦରକାର ହେବ। ତାହା ହିଁ ମୋର ଶେଷ ସମ୍ପତ୍ତି। ୧୨ଖଣ୍ଡ କାଠରେ ମୁଁ ଆରପାରିକୁ ଚାଲିଯିବି। ଏବଂ ଏଥି ପାଇଁ ମୁଁ ରଖିଥିବା ୧୨ଖଣ୍ଡ କାଠକୁ ମୋର ଅନ୍ତିମ ସଂସ୍କାରରେ ବ୍ୟବହାର କରିବ।
କିନ୍ତୁ ମୋ ଅନ୍ତିମ ସଂସ୍କାରରେ ଓଦା କାଠ ବ୍ୟବହାର କରିବନି। ଓଦା କାଠ ବ୍ୟବହାର କରିବା ଦ୍ୱାରା ଧୂଆଁ ବାହାରିବ। ସେଠାରେ ଉପସ୍ଥିତ ଥିବା ମୋ ବନ୍ଧୁମାନଙ୍କ ଆଖିରେ ଧୂଆଁ ପଶିଯିବ। ଏହା ପରେ ତାଙ୍କ ଆଖିରୁ ପାଣି ବାହାରିବ। ଏହା ଦେଖି ଲୋକେ ଭାବିବେ ସେମାନେ ମୋ ପାଇଁ କାନ୍ଦୁଛନ୍ତି। ମରିବା ସମୟରେ କିଏ ମୋତେ ଭୁଲ ଭାବୁ ବୋଲି ମୁଁ ଚାହେ ନାହିଁ ଏବଂ କାହାକୁ କନ୍ଦେଇବାକୁ ଚାହେନାହିଁ । ଆପଣ ମରିଯିବା ପରେ ୨-୪ଦିନ ଭିତରେ କେହି ଆପଣଙ୍କୁ ମନେ ରଖିବେ ନାହିଁ। ମୁଁ ତ କହୁଛି, ମୋ ଫଟୋ ଲଗାଇବ ନାହିଁ କି ସେଥିରେ ଫୁଲ ମାଳ ଦେବା ନାହିଁ । ମୋତେ ଭୁଲିଯିବ । ଏହାସହ ସେ କହିଥିଲେ ଯେ, ଆମେ ୭ଭାଇ-ଭଉଣୀ ଥିଲୁ। ସମସ୍ତେ ଆରପାରିକୁ ଚାଲିଗଲେଣି। ମୋ ବାପାମା’ ମଧ୍ୟ ନାହାନ୍ତି। ଆଉ ମୁଁ ଏବେ ଏ ଦୁନିଆର ହୋଇକି ନାହିଁ। ଏହି ଫିଲ୍ମଟି ସେପ୍ଟେମ୍ବର 28ରେ ପ୍ରେକ୍ଷାଳୟ ଗୁଡିକରେ ରିଲିଜ କରାଯିବ । ତେବେ ରିଲିଜ ପୂର୍ବରୁ ବେଶ ପ୍ରଶଂସା ସାଉଁଟି ଥିବା ଏହି ଫିଲ୍ମ ରିଲିଜ ପରେ ଦର୍ଶକମାନଙ୍କର କେତେ ଭଲପାଇବା ସାଉଁଟୁଛି ତାହା ଦେଖିବାକୁ ବାକି ରହିଲା ।