ଆଜି ଶୁଭ ଗଣେଶ ଚତୁର୍ଥୀ ଦିନ ରିଲିଜ କରାଗଲା ଓଡ଼ିଆ ଫିଲ୍ମ ପୁଷ୍କରା ଜାହା କି ଓଡ଼ିଶାର ମୌଳିକ କାହାଣୀ ଉପରେ ଆଧାରିତ । ଏଥିରେ ଓଡ଼ିଆ ଇଣ୍ଡଷ୍ଟ୍ରିର ବେଶ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମ ଟି ବେଶ ପ୍ରଶଂସା ସାଉଁଟି ସାରିଥିବା ବେଳେ ଆଜି ଏହି ଫିଲ୍ମକୁ ରିଲିଜ କରାଯାଇଛି । ଆଜି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ରାଉରକେଲା, ସମ୍ବଲପୁର, ସୁନ୍ଦରଗଡ଼ ସମେତ ୨୫ଟି ସହରର ଏକାଧିକ ଥିଏଟରରେ ଦର୍ଶକମାନେ ପୁଷ୍କରାକୁ ଦେଖିପାରିବେ । ଭୁବନେଶ୍ୱରର ମହାରାଜା ସିନେମା ହଲ ରେ ଆଜି ଏହାର ସ୍ପେସିଆଲ ସ୍କ୍ରିନିଙ୍ଗ ରଖା ଯାଇଥିଲା । ସେଠାରେ ସମସ୍ତ କଳାକାରଙ୍କ ସମେତ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଗାୟକମାନେ ମଧ୍ୟ ଯୋଗ ଦେଇଥିଲେ ।
ଫିଲ୍ମରେ ନାୟକ ଏବଂ ନାୟିକାର ଦୁଃଖଦ ପ୍ରେମ କାହାଣୀକୁ ଦେଖା ଯାଇଛି । କିପରି ଫିଲ୍ମର ନାୟକ ନୀଳକଣ୍ଠ ରୁ ପୁଷ୍କରା ରେ ପରିଣତ ହେଲେ ତାହା ଦର୍ଶକଙ୍କର ମନକୁ ଛୁଇଁ ପାରିଛି । ଏହି ଫିଲ୍ମରେ ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି । ଏବଂ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ତାଙ୍କ ନିର୍ଦ୍ଦେଶନା ର ଯାଦୁରେ ଦର୍ଶକଙ୍କର ମନ ଜିତି ନେଇଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକ ଜେତେ ମନଛୁଆଁ ଥିଲା ସେତେ ହିଁ ମନ ଛୁଆଁ ଥିଲା ଏହାର କାହାଣୀ । ଏଥିରେ ସମସ୍ତଙ୍କର ଅଭିନୟ ବହୁତ ହିଁ ଭଲ ହୋଇଥିବା ବେଳେ ଏହି ଫିଲ୍ମରେ ଥିବା ନାୟକ ଏବଂ ନାୟିକାର ପ୍ରେମ କାହାଣୀ କୁ ଦେଖି ଦର୍ଶକଙ୍କମାନେ ମଧ୍ୟ ଭାବୁକ ହୋଇ ପଡିଛନ୍ତି । ତେବେ ଆଜି ତ ପୁଷ୍କରା ରିଲିଜ ହେବାର ପ୍ରଥମ ଦିନ । ଆଗାମୀ ଦିନରେ ଫିଲ୍ମଟି ବକ୍ସ ଅଫିସ୍ ରେ କଣ କମାଲ କରୁଛି ତାହା ଦେଖିବାକୁ ବାକି ରହିଲା ।