ତେଜୁଛି ଓଲିଉଡ କଳି । 'ରାମ ' ପରେ ଏବେ 'ପ୍ରଥା' କୁ କରାଯାଉଛି ଟାର୍ଗେଟ । ଓଲିଉଡରେ ଜାରି ରହିଥିବା ବିବାଦର ପ୍ରଭାବ ଏବେ ରିଲିଜ ହୋଇଥିବା ଫିଲ୍ମ ଗୁଡିକ ଉପରେ ପଡ଼ିବାର ଦେଖା ଯାଉଛି । ଏହି ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରାଯାଇ ବନ୍ଦ କରାଯାଉଛି । ଓଡ଼ିଆ ଚଳଚ୍ଚିତ୍ର ରାମକୁ ନେଇ ବିବାଦ ଲାଗି ରହିଥିବାବେଳେ ପୁଣି ଆଉ ଏକ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଛି । ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମ 'ପ୍ରଥା'କୁ ବିରୋଧ କରିବାର ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଝାରସୁଗୁଡା ଶିବା ହଲରେ 'ପ୍ରଥା' ଫିଲ୍ମର ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ । ତେବେ ସେମାନଙ୍କର କାର୍ଯ୍ୟଟି ନିନ୍ଦନିଅ ଥିଲା ବୋଲି କହିଛନ୍ତି ଏହି ଫିଲ୍ମର ପ୍ରଯୋଜିକା ସାନଲିଶା ପଟେଲ । ଏହାକୁ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି । ଏହାସହ ପ୍ରଯୋଜିକା ସାନଲିଶା ପଟେଲ୍ କହିଛନ୍ତି ଯେ, ଝାରସୁଗୁଡାବାସୀ ସହ ପଶ୍ଚିମ ଓଡିଶା ଲୋକ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ କଣ ପାଇଁ ବଞ୍ଚିତ ହେବେ । ଏହି ପ୍ରସଙ୍ଗରେ ସରକାରଙ୍କର ହସ୍ତକ୍ଷେପ ପାଇଁ ପ୍ରଯୋଜିକା ନିବେଦନ କରିଛନ୍ତି। ଯଦି ଜଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ନିର୍ମାଣ କରେ ଏବଂ ପରେ ଏଭଳି ସମସ୍ୟାରେ ପଡେ ତେବେ ସେ ପ୍ରଯୋଜକ ଆଗକୁ କେବେ ଚଳଚ୍ଚିତ୍ର ପାଇଁ ସାହସ କରିବନାହିଁ ବୋଲି ପ୍ରଯୋଜିକା ନିଜର ମତ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଓଲିଉଡ଼ ଅଭିନେତା ଅରିନ୍ଦିମଙ୍କ ଅଭୀନିତ ଫିଲ୍ମ 'ରାମ' ସମ୍ବଲପୁରରେ ରିଲିଜ ହୋଇପାରିନଥିଲା । ଏଥିିପାଇଁ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ଦାୟୀ କରିଥିଲେ । ଏହାପରେ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ ଲଗେଇବାକୁ ନିଷ୍ପତି କରାଯାଇଥିଲା । ଏହାପରେ ଏହି ବିବାଦ ନ ଥମି ଉଗ୍ର ରୂପ ନେବାରେ ଲାଗିଛି । ତେବେ ଏଥିରେ ବିରାମ ଲଗେଇବା ପାଇଁ ଓଲିଉଡ଼ ତାରକାମାନେ ଚେଷ୍ଟା ଚଳାଇଥିବା ବେଳେ ଅଭିନେତା ମନୋଜ ମିଶ୍ରଙ୍କ ମନ୍ତବ୍ୟ ପାଇଁ ଏଥିରେ ବିରାମ ଲାଗି ପାରୁ ନାହିଁ ।
ଅଧିକ ପଢ଼ନ୍ତୁ: ରଜନୀକାନ୍ତଙ୍କ 250 କେ.ଜିର ମୂର୍ତ୍ତି ତିଆରି କଲେ ଫ୍ୟାନ୍ସ