ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ହେବ ବଲିଉଡ ନାୟିକା ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଶୁଭ ବିବାହ । ଏଥିଲାଗି ସନ୍ଧ୍ୟାରେ ରିସେପସନ୍ ପାର୍ଟି ମଧ୍ୟ ରଖାଯାଇଛି। ବିବାହ ପାଇଁ ରାଜସ୍ଥାନର ଉଦୟପୁର ଠାରେ ଥିବା 'ଲୀଳା ପ୍ୟାଲେସ'ରେ ପ୍ରସ୍ତୁତି ଚାଲିଛି । ବିବାହ ମଣ୍ଡପକୁ ଆହୁରି ସୁନ୍ଦର କରିବା ପାଇଁ କୋଲକାତା ଏବଂ ଦିଲ୍ଲୀ ରୁ ଧଳା ରଙ୍ଗର ଫୁଲ ଅଣାଯାଇଛି ।
ବାହାଘର ପାଇଁ ଉଭୟ ବରକନ୍ୟା ଉଦୟପୁରରେ ପହଞ୍ଚିସାରିଛନ୍ତି। ଏହି ବିବାହ ଉତ୍ସବରେ ଉଭୟଙ୍କର ବହୁ ବନ୍ଧୁବାନ୍ଧବ ସାମିଲ ହେବେ, ତଥା ରାଘବଙ୍କ ତରଫରୁ କିଛି ରାଜନେତା ମଧ୍ୟ ବିବାହରେ ଯୋଗ ଦେବେ । ହେଲେ ପରିଣୀତିଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଏଥିରେ ଯୋଗ ଦେଉନଥିବା କୁ ନେଇ ଚର୍ଚ୍ଚା ହେଉଛି।
ବିବାହର ଗୋଟିଏ ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଭଉଣୀ ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହି ଏହି ପୋଷ୍ଟରୁ ଅନୁମାନ କରାଯାଇ ପାରିବ ଯେ ପ୍ରିୟଙ୍କା ପରିଣୀତିଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଉଦୟପୁର ଆସିବେ ନାହିଁ। ପୂର୍ବରୁ ସୂଚନା ମିଳିଥିଲା ଯେ ପ୍ରିୟଙ୍କା ତାଙ୍କ ଝିଅ ମାଲତୀ ମାରି ଓ ସ୍ବାମୀ ନିକ ଜୋନାସଙ୍କ ସହ ବିବାହ ଉତ୍ସବରେ ଯୋଗଦେବେ । ହେଲେ ଏବେ ପ୍ରିୟଙ୍କା ତାଙ୍କ ଭଉଣୀର ବିବାହରେ ଅନୁପସ୍ଥିତ ରହିବେ । ବର୍ତ୍ତମାନ ପ୍ରିୟଙ୍କା ଆମେରିକାର ଲସ୍ ଆଞ୍ଜେଲସରେ ଅଛନ୍ତି ।
ନିକଟରେ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରିଣୀତିଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପରିଣୀତି ବହୁତ ଖୁସି ଥିବାର ଦେଖା ଯାଉଛନ୍ତି। ଏଥିସହିତ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଆଶା କରେ ତୁମେ ସବୁବେଳେ ଖୁସିରେ ରୁହ । ଏହା ତୁମ ପାଇଁ ଏକ ବଡ଼ କଥା । ସବୁବେଳେ ତୁମକୁ ବହୁତ ଭଲପାଏ । ଏବେ ଏହାକୁ ନେଇ ସିନେଜଗତ ରେ ଚର୍ଚ୍ଚା ଚାଲିଛି ।