ଭୁୁବନେଶ୍ୱର: ବାପା-ମାଆ ହେଲେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା । ଗୁରୁବାର ଦମ୍ପତ୍ତିଙ୍କ ଘରକୁ ଆସିଛି ନୂଆ ଅତିଥି। ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଅର୍ଚ୍ଚିତା । ପୁଅ ହେବା ଖୁସିରେ ନିଜେ ଏହାର ସୂଚନା ଦେଇଛନ୍ତି ସବ୍ୟସାଚୀ । ଏହି ଖବର ପରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛାର ସୂଅ ଛୁଟୁଛି । ନବଜାତ ଶିଶୁ ଓ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।
ସୋସିଆଲ ମିଡିଆରେ ସବ୍ୟସାଚୀ ଲେଖିଛନ୍ତି, କାଳିଆ ଆସିଲା । ଏଥିସହ ସେ ତାଙ୍କ ନବଜାତ ପୁଅକୁ ଆଶୀର୍ବାଦ ଦେବାକୁ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି । ଏହା ପୂର୍ବରୁ ସବ୍ୟ-ଅର୍ଚ୍ଚିତା ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ଅର୍ଚ୍ଚିତା ମାଆ ହେବାକୁ ଯାଉଥିବା ସୂଚନା ଦେଇଥିଲେ । ଆଉ ତାଙ୍କ କୋଳରୁ ଜାନୁଆରୀ ୨୨ରେ ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଛି ।
ସୂଚନାଯୋଗ୍ୟ, ୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି କଳାକାର ଦମ୍ପତି । ଅଭିନୟ ସହ ସମାଜସେବା ପାଇଁ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଆଉ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇ ଯାଇଛି । ତାଙ୍କ ଘରେ ଆଜି କୁଆଁ କୁଆଁ ଡାକ ଶୁଭିଛି ।
ଅର୍ଚ୍ଚିତାଙ୍କୁ ବିବାହ କରିବା ପୂର୍ବରୁ ସବ୍ୟସାଚୀ ୨୦୦୮ ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ କିନ୍ତୁ ବ୍ୟକ୍ତିଗତ କାରଣରୁ ୨୦୧୫ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ପରେ ସାଥୀ କଳାକାର ଅର୍ଚ୍ଚିତାଙ୍କୁ ଜୀବନସାଥୀ ରୂପେ ପାଇଥିଲେ ସବ୍ୟ ଆଉ ୨୦୨୧ ରେ ପଡ଼ିଥିଲା ହାତଗଣ୍ଠି । ଦୁହେଁ ଓଲିଉଡ୍ ଜଗତର ଆଗଧାଡ଼ିର କଳାକାର ହେବା ସଙ୍ଗେ ସଙ୍ଗେ ଏକାଠି ଅନେକ ସିନେମାରେ ନଜର ଆସିଛନ୍ତି ।
Also read: ଥମୁନି ବିଜେଡ଼ି-ଅରବିନ୍ଦ ବିବାଦ: ଖୋଲା ଚ୍ୟାଲେଞ୍ଜ ଦେଲେ ବିଧାୟକ