କେନ୍ଦ୍ରାପଡା: ପିଲାଙ୍କୁ ପାଠ ପଢାଇବା ପୂର୍ବରୁ ନିଜକୁ ଠିକ୍ ରୂପେ ପ୍ରସ୍ତୁତ ନ କରିବା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପାଇଁ ପଡ଼ିଲା ମହଙ୍ଗା । ଏଥିପାଇଁ ୫ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଓ ନୋଟିସ୍ ଜାରି କରିଛନ୍ତି କେନ୍ଦ୍ରାପଡା ବିଇଓ । ବିଦ୍ୟାଳୟ ପରିଦର୍ଶନ ବେଳେ ବିଇଓଙ୍କ ନଜରକୁ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଥିପାଇଁ କାରଣ ଦର୍ଶାଓ ନୋଟିସ୍ ଜାରି କରିଛନ୍ତି ।
ନୋଟିସ୍ ପାଇଥିବା ଏହି ୫ଜଣ ଶିକ୍ଷକ ହେଉଛନ୍ତି କେନ୍ଦ୍ରାପଡା ଗୋବିନ୍ଦଜିଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ସେକ୍ ଖତିବ୍, ସହକାରୀ ଶିକ୍ଷକ ଦାଶରଥୀ ନାୟକ, ସହକାରୀ ଶିକ୍ଷକ ଅଭୟ ମଲ୍ଲିକ, ସେକ୍ ମହମ୍ମଦ ଅୟାସୁଦ୍ଦିନ, ଓ ଶିକ୍ଷୟତ୍ରୀ ରଶ୍ମିତା ମହାନ୍ତି । ଆସନ୍ତା ୨ ଦିନ ଭିତରେ ଏନେଇ ସନ୍ତାଷଜନକ ଉତ୍ତର ରଖିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ସେମାନଙ୍କୁ କହିଛନ୍ତି ନଚେତ୍ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ସ୍ପଷ୍ଟ କରିଛନ୍ତି ।
ଜାରି କରିଥିବା କାରଣ ଦର୍ଶାଓରେ ବିଇଓ ଦର୍ଶାଇଛନ୍ତି ଯେ, ଶିକ୍ଷକ/ଶିକ୍ଷୟତ୍ରୀମାନେ ଶ୍ରେଣୀ ଗୃହକୁ ପ୍ରବେଶ କରିବା ପୂର୍ବରୁ ଲେସନ୍ ଡାଏରି, ଲେସନ ନୋଟିସ୍ ଆଦି ପ୍ରସ୍ତୁତ କରି ଯିବା କଥା, ହେଲେ ଏହା ଦୀର୍ଘଦିନ ହେବ କାର୍ଯ୍ୟକାରୀ ହେଉନି । ଯାହା ପ୍ରସ୍ତୁତ କରିବା ବାଧ୍ୟତାମୂଳକ ଥିବା ତାହା ସେମାନେ ଖିଲାପ କରିଛନ୍ତି । ଏପରିକି ସ୍କୁଲରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁନଥିବା ବିଇଓ ଉଲ୍ଲେଖ କରିଛନ୍ତି ।
ଅଧିକ ପଢନ୍ତୁ: ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା; ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ଜେଲ୍ ଫେରିବେ ଅଭିଯୁକ୍ତ ସମୀର ସାହୁ