ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ଭକ୍ତ ବିନା ବାଧାରେ ଯେପରି ଦର୍ଶନ ପାଇବେ, ସେନେଇ ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ଆଗକୁ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ୟ୍ୟନ୍ତ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବାରଣ ହୋଇଛି। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଇଁ ବିଭିନ୍ନ କାର୍ୟ୍ୟ କରାଯିବ। ସେବକମାନେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେପରି ବାଧା ସୃଷ୍ଟି ନକରିବେ ତା’ ଉପରେ ଗୁରୁତ୍ବ ଦିଆଯିବ। ସ୍ନାନପୂର୍ଣ୍ଣିମା ନୀତିକାନ୍ତି ସଅଳ ହେବ। ଆଜି ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ହୋଇଛି ।
ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ୧୨ଟା୨୫ରେ ବାହୁଟି କଣ୍ଟକ ଓ ୧୨ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧାକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋରରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ।