ଭୁବନେଶ୍ୱର: ସୀମା ଲଂଘୁଛି ଅମାନବିକତା । ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତିର ନୃଶଂସ କାଣ୍ଡ । ମା' ଓ ନାବାଳିକା ଝିଅଙ୍କର ଅଶ୍ଳୀଳ ଫୋଟୋ ଉଠାଇ ଭାଇରଲ୍ କରିଦେବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଛି ସହାୟକ । ଏନେଇ ତୁରନ୍ତ ଆକ୍ସନ ମୋଡ଼ରେ ଆସିଛି ବଡ଼ଗଡ଼ ପୋଲିସ୍ ।
ମିଳିଥିବା ସୂଚନା ଅନୁସାରେ ଏହି କାଣ୍ଡ ଭିଆଇ ଥିବା ବ୍ୟକ୍ତି ହେଉଛନ୍ତି ସରୋଜ କୁମାର ବେହେରା ଓରଫ ରବି । ସେ ସହାୟକ ଭାବେ ଅଭିଯୋଗକାରିଣୀଙ୍କ ଘରେ କାମ କରୁଥିଲେ । ସେ ଅଭିଯୋଗକାରିଣୀଙ୍କ ଅଜ୍ଞାତରେ ଅଶ୍ଳୀଳ ଫୋଟୋ ଉଠାଇ ତାକୁ ଭାଇରଲ୍ କରିଦେବା ନେଇ ଅନେକ ସମୟରେ ଧମକ ଦେଉଥିଲେ । ଏହି ବ୍ୟକ୍ତି ଅଭିଯୋଗକାରିଣୀଙ୍କ ନାବାଳିକା ଝିଅକୁ ମଧ୍ୟ ଛାଡ଼ିନଥିଲା । ନାବାଳିକାର ମଧ୍ୟ ଅଶ୍ଳୀଳ ଫୋଟୋ ଓ ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରଲ୍ କରିଦେବା ଧମକ ଦେଇ ମା' ଓ ଝିଅଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲା ।
ଏହି ଘଟଣା ସମ୍ପର୍କରେ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିଥିଲା ପୋଲିସ୍ । ପୋଲିସ୍ ହେପାଜତରେ ଆସିବାପରେ ଅଭିଯୁକ୍ତ ନିଜର କାଣ୍ଡ ସ୍ୱୀକାର କରିଥିବା ବେଳେ ପୋଲିସ୍ ରବିକୁ କୋର୍ଟ ଚାଲାଣ କରିଛି । ଏନେଇ ଅଧିକ ତଦନ୍ତ ଜାରିରଖିଛି ବଡ଼ଗଡ଼ ପୋଲିସ୍ ।