ନବରଙ୍ଗପୁର: ଯାତ୍ରୀ ବାହି ଅଟୋ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୯ ରୁ ଉର୍ଦ୍ଧ ଯାତ୍ରୀ ଆହତ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣି ରେ ଏକ ଯାତ୍ରୀ ବାହି ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାଇ ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡା ପଦର ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଆଜି ଦିନରେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚାନ୍ଦଲି ଗ୍ରାମର ୧୫ ରୁ ଉର୍ଦ୍ଧ ଯାତ୍ରୀ ଏକ ଅଟୋ ଗାଡିରେ ମୁଣ୍ଡା ପଦର ଗ୍ରାମକୁ ଯାଇଥିଲେ। ସେଠାରେ ବିବାହ ଭୋଜି ରେ ଯୋଗ ଦେଇ ପୁଣି ଅଟୋରେ ଅପରାହ୍ନରେ ଚାନ୍ଦିଲି ଅଭିମୁଖେ ବାହାରିଥିଲେ। ତେବେ ମୁଣ୍ଡା ପଦର ଗ୍ରାମରୁ ୭ କିମି ଦୂର ଡାବୁଗାଁର କେଲିଆ ଶିବ ମନ୍ଦିର ନିକଟ ଏକ ବୁଲାଣି ନିକଟରେ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଆହତଙ୍କ ଆତ୍ମୀୟ ପରିଜନ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୫ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାବୁଗାଁ ପୁଲିସ ଘଟଣାର ତଦନ୍ତ କରୁଛନ୍ତି ।