ଭୁବନେଶ୍ୱର: ଯୁବପିଢ଼ିଙ୍କୁ ଘାରିଛି ସେଲ୍ଫି ନିଶା । ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଲାଇକ୍ସ ଓ କମେଣ୍ଟସ ପାଇଁ ଏବେ ଯେମିତି ନୀତି ଦିନିଆ ବ୍ୟାପାର ହୋଇଗଲାଣି । ସେହିପରି ଅଧିକ ଆଦୃତତା ପାଇବା ଲାଳସାରେ ଯୁବପିଢ଼ି ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଉଥିବାର ଦେଖିବାକୁ ମିଳୁଛି । ଏଭଳି କିଛି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ନିକଟରେ ଏଭଳି ଅଘଟଣ ଘଟିଯାଇଛି ।
ସେଲ୍ଫି ଉଠାଇବା ପାଇଁ କୌତୁହଳ ବଶତଃ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ ତିନି ଜଣ ଯୁବକ । ସେଲ୍ଫି ଉଠାଉଥିବା ସମୟରେ ହିଁ ମହୁମାଛି ଦଳଙ୍କ ଆକ୍ରମଣର ଶିକାର ହୋଇଥିଲେ ଯୁବକ ମାନେ। ଜୀବନ ବଞ୍ଚାଇବା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ପାଣି ଟାଙ୍କି ମଧ୍ୟକୁ ଡେଇଁ ପଡ଼ିଥିଲେ ।
ଏ ସଂକ୍ରାନ୍ତରେ ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଉଦ୍ଧାର କାର୍ଯ୍ୟବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ । ଏତେ ଉଚ୍ଚ ଅର୍ଦ୍ଧନିର୍ମିତ ପାଣି ଟାଙ୍କିରେ ଯୁବକ ମାନେ ଡେଇଁପଡ଼ିବାରୁ ଖାତବିକ୍ଷତ ହୋଇଥିଲେ । ଯୁବକ ତିନି ଜଣଙ୍କ ସମେତ ଆହତ ଅଗ୍ନିଶମ ବାହିନୀ କର୍ମଚାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।