ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ରାଜିନାମା ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ତିନି ସେନା ପ୍ରମୁଖ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଅନିଲ ଚୌହାନ ଉପସ୍ଥିତ ଥିଲେ ।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଅସ୍ତ୍ରବିରତି ପରେ ସ୍ଥିତିର ଆକଳନ କରିବାର ଥିଲା । ବୈଠକରେ ପାକିସ୍ତାନ ପକ୍ଷରୁ ପଠାଯାଇଥିବା ଡ୍ରୋନ ଓ ମିସାଇଲ ଘଟଣା ଉପରେ ମଧ୍ୟ ଆଲୋଚନା ହୋଇଛି । ଗତ ୨୪ ଘଣ୍ଟା ଭିତରେ ପିଏମ ମୋଦୀଙ୍କ ଏହା ତୃତୀୟ ଉଚ୍ଚସ୍ତରୀୟ ବୈଠକ ଥିଲା ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ଲଗାତାର କଡା ଆଭିମୁଖ୍ୟ ଆପଣେଇବ ଏବଂ ଏମିତି କରିବା ଜାରି ରଖିବ । ପାକିସ୍ତାନକୁ ନିଜର ସ୍ଥିତି ବୁଝିବା ଉଚିତ୍ ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ଯେମିତି ନ ହୁଏ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବା ଉଚିତ୍ ବୋଲି ଗତକାଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଥିଲେ ।
ତେବେ ଆଜିର ବୈଠକରେ ଅସ୍ତ୍ରବିରତି ପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏବଂ ୧୨ ତାରିଖ ଡିଜିଏମଓ ବୈଠକରେ କେଉଁ ପ୍ରସଙ୍ଗ ଉପରେ ଅଗ୍ରାଧିକାର ଦିଆଯିବ ସେ ଉପରେ ମଧ୍ୟ ଆଲୋଚନା ହୋଇଛି । ମେ ୧୨ ତାରିଖ ଏକ ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବା । ଏହା ପରେ ହିଁ ଜଣା ପଡିବ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା କେଉଁ ଦିଗକୁ ଯାଉଛି ।
ସୂଚନାଯୋଗ୍ୟ, ଗତକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି ସର୍ବପ୍ରଥମେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଥିଲେ । ଏପରିକି ଦୁଇ ଦେଶର ଉପସ୍ଥିତି ବୁଦ୍ଧି ଓ ଦୂରଦୃଷ୍ଟି ସଂପନ୍ନର ବେଶ ପ୍ରଶଂସା କରିଥିଲେ । ସେ କହିଥିଲେ ଆମେରିକାର ମଧ୍ୟସ୍ଥତାରେ ରାତିରେ ଲମ୍ବା ଆଲୋଚନା ପରେ ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଭାବେ ଓ ତତ୍କାଳ ପ୍ରଭାବରୁ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଦୁଇ ଦେଶ ସାଧାରଣ ଜ୍ଞାନ ଓ ମହାନ ବୁଦ୍ଧିମତା ବ୍ୟବହାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ।
ଅସ୍ତ୍ରବିରତି ସତ୍ତ୍ୱେ, ପାକିସ୍ତାନ ଜମ୍ମୁ-କାଶ୍ମୀରର ସାମ୍ବା, ରାଜୌରୀ, ଅଖନୁର ଏବଂ ଉଧମପୁର ଅଞ୍ଚଳରେ ଲଗାତାର ଗୁଳିମାଡ଼ କରୁଛି। କାଶ୍ମୀର ସହିତ ଗୁଜରାଟର କଚ୍ଛ ସୀମାନ୍ତରେ ହରାମି ନାଲା ଏବଂ ଖାଭଡା ନିକଟରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି। ଏବେ ବି ଏଲଓସି ଓ ସୀମାବର୍ତ୍ତୀ ସହର ଗୁଡିକରେ ଉତ୍ତେଜନା ସ୍ଥିତି ଲାଗି ରହିଛି ।