ବିନିକା: ଯୌତୁକ ରୂପୀ ବ୍ୟାଧି ଏବେବି ସମାଜକୁ ଗ୍ରାସ କରି ରହିଛି । ପୁଣି ଜଣେ ନବ ବଧୂ ସଂସାର କଣ ଜାଣିବା ଆଗରୁ ଯୌତୁକ ଜୁଇରେ ଜଳିଛି । କାନ୍ଥରୁ ବାହା ଚିତା ଲିଭି ନାହିଁ କିନ୍ତୁ ଲିଭି ଗଲା ଜୀବନ ଦୀପ । ଏଭିଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରୁ । ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ । ତାଙ୍କୁ ଯୌତୁକ ପାଇଁ ପାଇ ହତ୍ୟା କରାଯାଇଥିବା ନେଇ ଅଞ୍ଜଳିଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ଅଞ୍ଜଳି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁର ନରେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ବାପା ଘରୁ ୨ ଲକ୍ଷ ଟଙ୍କା ଏବଂ ସୁନା ଆଣିବାକୁ ଅଞ୍ଜଳୀଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ ଶାଶୁଘର ଲୋକ । ଧିରେ ଧିରେ ନିର୍ଯ୍ୟାତନା ବଢ଼ିବାକୁ ଲାଗିଥିଲା ।
ତେବେ ଗତକାଲି ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ । ଅଞ୍ଜଳିଙ୍କୁ ବିଷ ପିଆଇ ଦେଇଥିଲେ ଏବଂ ପରେ ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ଅଞ୍ଜଳୀଙ୍କ ପରିବାର ଲୋକ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରିଛି ।