କଟକ: ଏକ ଛଅ ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ସକାଳୁ ଶିଶୁଟି ସୁସ୍ଥ ଥିବା ବେଳେ ଗତରାତିରେ ଶିଶୁର ମୃତ୍ୟୁଘଟିଛି। ସନ୍ଦେହଘେରରେ ରହିଛନ୍ତି ଛୁଆଟିର ବାପା ଓ ମା'। ଏପରି ଅଭାବନୀୟ ଘଟଣା ଘଟିଛି ଚୌଦ୍ବାର ସ୍ଥିତ ମୁଣ୍ଡା ସାହିରେ। ଶିଶୁର ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
ସୂଚନାନୁଯାୟୀ ଶିଶୁଟି ରାତିରେ ଶୋଇଥିଲା ବେଳେ ଆଜି ସକାଳେ ତାର ମୃତ୍ୟୁ ଘଟିଛି। ଏସଂକ୍ରାନ୍ତରେ ସେମାନେ କାହାକୁ ନ ଜଣାଇ ଶ୍ମଶାନରେ ପୋତିଦେଇଥିଲେ ଛୁଆଟିର ବାପା ଓ ମା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପିଲାଟିର ପିତାମାତା ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ନିଶାରେ ହିତାହିତ ଜ୍ଞାନ ହରାଇ ଛୁଆଟିକୁ ମାରିଦେଇଥିବା କହିଛନ୍ତି।
ଏହି ଅଭିଯୋଗ ବିରୁଦ୍ଧରେ ଶିଶୁର ମା କହିଛନ୍ତି ଯେ, ଛୁଆଟିକୁ ଥଣ୍ଡା ହୋଇଥିଲା। ସରକାରୀ ଡାକ୍ତରଖାନାରୁ ଔଷଧ ମଧ୍ୟ ଦିଆଯାଇଥିଲା। ମାତ୍ର ଅତ୍ୟଧିକ ଥଣ୍ଡା ଓ କଫରୁ ଛୁଆଟିର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।
ପୋଲିସ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି। ଶିଶୁର ମୃତଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ।