ରାୟଗଡା: ପୂର୍ବ ସରକାରଙ୍କ ଅବହେଳା, ସାଧାରଣ ଲୋକଙ୍କ ନିକଟରେ ପହଁଚି ପାରିଲାନି ଗରୀବ କଲ୍ୟାଣ ଯୋଜନା। ଯାହା ଫଳରେ ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ନିକଟସ୍ଥ ନୂଆପଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲାଳନ ପାଳନ କରିବାକୁ ଅକ୍ଷମ ଥିବା ମାଁ ନିଜର କନ୍ୟା ସନ୍ତାନକୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ନିଃସନ୍ତାନଙ୍କୁ ବେଆଇନ ଭାବେ ପୋଷିବା ପାଇଁ କିଛି ଟଙ୍କା ନେ଼ଇ ଟେକି ଦେଇଛନ୍ତି। ଏଭଳି ଘଟଣା ରାୟଗଡ ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ରାୟଗଡା ଜିଲ୍ଲାର ଜେକେପୁର ନିକଟସ୍ତ ନୂଆପଡା ବସ୍ତିର ରାହୁଲ ଧାନବାଡି ଓ କୁମୁଦ ଗାଣ୍ଚାଙ୍କ ଚଳିତ ମାସ ୩ତାରିଖ ଦିନ ଜନ୍ମିତ ଏକ କନ୍ୟା ଶିଶୁକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗାଁର ନିସନ୍ତାନ ଥିବା କୋପାଲା ରାଜଶେଖରଙ୍କୁ ପୋଷିବା ପାଇଁ ଦେଇଥିବା କହିଛନ୍ତି। ଏଥିନିମନ୍ତେ ରାହୁଲ ଧାନବାଡିଙ୍କୁ ୯ଦିନର ଶିଶୁକନ୍ୟା ପାଇଁ ୨୦ହଜାର ଟଙ୍କା ଦେଇ ଶିଶୁ କନ୍ୟାଟି କିଣି ନେଇଥିବା ସୂଚନା ମିଳିଛି। ଏଥି ନେଇ କାରା (Central Adoption Resources Authority) ଠାରୁ କୌଣସି ଅନୁମତି ନିଆଯାଇନାହିଁ । କେବଳ ରାୟଗଡା ନୋଟାରୀ ନିକଟରେ ଏକ ଆଫିଡେଭିଟ କରାଯାଇଛି। ଏ ସଂକ୍ରାନ୍ତରେ ୧୦୯୮ ଜରିଆରେ ଅଭିଯୋଗ ପାଇବା ପରେ ନୂଆପଡା ବସ୍ତିରେ ଜିଲ୍ଲା ଶିଶୁ ସୁରକ୍ଷାର କର୍ମକର୍ତ୍ତା ମାନେ ପହଞ୍ଚିଛନ୍ତି। ରାହୁଲଙ୍କର ଏହା ଦ୍ଵିତୀୟ ସନ୍ତାନ ହୋଇଥିବା ସମୟରେ ସେ ବାହାର ରାଜ୍ୟର ବାସିନ୍ଦା ଅଟନ୍ତି। ତେଣୁ ତାଙ୍କର ରାୟଗଡା ଜିଲ୍ଲାର କୌଣସି ପ୍ରମାଣ ପତ୍ର ମଧ୍ୟ ନାହିଁ। ସେ କୁମୁଦ ଗାଣ୍ଚାଙ୍କ ସହିତ ପ୍ରେମ ବିବାହ କରିଥିବା ନେଇ ସୂଚନା ମିଳିଛି। ଘଟଣାର ତଦନ୍ତ କରିଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି। ଶିଶୁ ଅତିଶିଘ୍ର କମିଟି ନିକଟରେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।