ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା ରାଜନୀତିଠୁ ଆରମ୍ଭ କରି ସେୟାର ବଜାର ପର୍ଯ୍ୟନ୍ତ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେୟାର ବଜାରରେ ନାଇଡୁଙ୍କ ସଂପର୍କିତ ଏକ କଂପାନୀ ଭଲ ଫେରସ୍ତ କରିଛି। ଏଥିରେ ତାଙ୍କ ପରିବାରର ବଡ଼ ଭାଗିଦାରୀ ରହିଛି। ଗତ ୫ ଦିନରେ କଂପାନୀ ଦ୍ୱାରା ଭଲ ରିଟର୍ଣ୍ଣ ଆସିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପରିବାର ସଂପତ୍ତି ରେକର୍ଡସ୍ତରରେ ବଢ଼ିଛି।
ଟିଡିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଏହି କଂପାନୀ ହେଉଛି ହେରିଟେଜ୍ ଫୁଡ୍ସ ଲିମିଟେଡ। ଏହି କଂପାନୀ ୧୯୯୨ରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ପ୍ରତିଷ୍ଠା କରିଥିଲେ। ଡାଏରି ଓ କୃଷି ସହିତ ଏହାର ୩ଟି ବ୍ୟବସାୟିକ ବିଭାଗ ରହିଛି। କଂପାନୀର ଏକ୍ସଚେଞ୍ଜ ଫାଇଲିଂ ଅନୁସାରେ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ହେରିଟେଜ୍ ଫୁଡ୍ସର ପ୍ରମୋଟରମାନଙ୍କ ମଧ୍ୟରୁ ଜଣେ। ୫ ଦିନରେ ଏହି ଷ୍ଟକ ନିବେଶକଙ୍କୁ ୫୫.୭୯ ପ୍ରତିଶତ ରିଟର୍ଣ୍ଣ ଦେଇଥାଏ। ଗତ ୧ ମାସରେ ଏହି ସେୟାର ୧୦୧ ପ୍ରତିଶତରୁ ଅଧିକ ଦେଇଛି।
ହେରିଟେଜ୍ ଫୁଡ୍ସର ସେୟାର ଶୁକ୍ରବାର ୧୦ ପ୍ରତିଶତ ଉପର ସର୍କିଟ ସହିତ ୬୬୧.୨୫ ଟଙ୍କାରେ ବନ୍ଦ ହୋଇଥିଲା, ଯାହା କି ୫୨ ସପ୍ତାହର ଉଚ୍ଚ ସ୍ତର ବୋଲି କୁହାଯାଉଛି। ଏହି ସେୟାର ଗତ ୩ ଦିନ ଧରି ଉପର ସର୍କିଟରେ ଥିଲା। ଏହାର ୫୩ ସପ୍ତାହର ସର୍ବନିମ୍ନ ସ୍ତର ୨୦୬.୬୦ ଟଙ୍କା ପ୍ରତି ସେୟାର ଥିଲା। କଂପାନୀର ମାର୍କେଟ କ୍ୟାପ୍ ମୋଟ ୩,୯୫୬ କୋଟି ଟଙ୍କା।
ହେରିଟେଜ୍ ଫୁଡ୍ସର ସେୟାର ଦ୍ରୁତଗତିରେ ଆଗକୁ ବଢ଼ିଛି। ନାଇଡୁଙ୍କ ପରିବାରର ଦ୍ରୁତଗତିରେ ଆର୍ଥିକ ଅଗ୍ରଗତି ହୋଇଛି । ମୋଟ୍ ଲାଭ ୭୮୫ କୋଟି ଟଙ୍କା ହୋଇଛି। ଚନ୍ଦ୍ରବାବୁ ନାଇଡୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏଭଳି ଏକ ଭଲ ଖବର ଆସିଛି।