ପର୍ଯ୍ୟଟନ ନୁହେଁ ଅବହେଳାର ପଦର୍ଶନି ପାଲଟିଛି ଅଂଶୁପା - କୁଆଡେ ଗଲା ରୋପେଓ, ନୌକା ବିହାର, ହରିଣ ପାର୍କର ପ୍ରତିଶୃତି
Khabar Odisha:Ansupa-Lake-Neglected-Mahanadi-Politics

 ମହାନଦୀକୁ ନେଇ ରାଜନୀତି ଜମିଆସୁଥିବାବେଳେ ମହାନଦୀରେ ଥିବା ଅନେକ ପ୍ରାକୃତିକ ଜଳଭଣ୍ଡାର ଆଜି ଅବହେଳିତ ହୋଇ ପଡିଛି । ସେମିତି ଏକ ହେଉଛି ଅଂଶୁପା ଯାହା ଏବେ ଘୋର ଅବହେଳାର ଶିକାର । 

ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରକୃତି ଆମ ରାଜ୍ୟକୁ ବହୁତ କିଛି ଦେଇଛି । ଓଡିଶାରେ ଏମିତି ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟପୁର୍ଣ୍ଣ ଯାଗା ଅଛି ଯାହାର ବିକାଶ ହେଲେ ତାହା ବିଦେଶର ସ୍ୱିଜରଲ୍ୟାଣ୍ଡ, ପ୍ୟାରିସ ବି ପଛରେ ପକାଇଦେବ । ସାରା ଗୋଆ ରାଜ୍ୟକୁ ଯେତିକି ବିଦେଶି ପର୍ଯ୍ୟଟକ ଯାଉଛନ୍ତି ଓଡିଶାର ଗୋଟିଏ ଗୋଟିଏ ପର୍ଯ୍ୟଟନ ସ୍ଥଳିକୁ ତାଠାରୁ ଅଧିକ ପର୍ଯ୍ୟଟକ ଆସି ପାରିବେ ।  ହେଲେ ସରକାରୀ ବିଫଳତା ଏବଂ ଆନ୍ତରିକତା ଅଭାବରୁ ଅନେକ ପର୍ଯ୍ୟଟକ ସ୍ଥଳି ଆଜିବି ବାହାର ଦୁନିଆର ଅଗୋଚରରେ ରହିଛି । ସେମିତି ଗୋଟିଏ ଯାଗା ହେଉଛି  ଅଂଶୁପା । 

ମହାନଦୀ ନଦୀ କୁଳରେ ଥିବା ଅଶୁଂପା ହେଉଛି ରାଜ୍ୟର ବୃହତମ ମଧୁର ହ୍ରଦ । ପ୍ରାକୃତିକ ସବୁଜିମାରେ ପରିପୃର୍ଣ୍ଣ ଏହି ପ୍ରାକୃତିକ ହ୍ରଦରେ ଅଛି ପାହାଡ, ପାଣି, ପକ୍ଷୀ ଏବଂ ଫୁଲର ଅପୁର୍ବ ମିଳନ । ହେଲେ ସରକାରୀ ଉଦାସିନତା ଏବଂ ଦୁର୍ନୀତି ପାଇଁ ଅଂଶୁପାର ବିକାଶ ଅଟକିଯାଇଛି । ଯତ୍ନ ଅଭାବରୁ ଅଂଶୁପା ହ୍ରଦର ଆକାର ୭୪୮ ଏକରରୁ ପୋତି ହୋଇ ଏବେ ୩୪୨ ଏକରରେ ସୀମିତ ହୋଇସାରିଲାଣି । ନିକଟସ୍ଥ ସରଣ୍ଡା ପାହାଡରୁ ମାଟି ଅତଡା ଖସି ଏହି ହ୍ରଦ ଦିନକୁ ଦିନକୁ ପୋତି ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଯେଉଁ ଅଂଶୁପାରେ ଦିନେ କାତ ପାଉନଥିଲା ସେଠି ଏବେ ଦଳ ଏବଂ ଜଳଜ ଗୁଳ୍ମ ଭର୍ତୀ ହୋଇଯିବା କାରଣରୁ ଡଙ୍ଗା ଚାଲିପାରୁନାହିଁ । ଦିନେ ଅଂଶୁପାର ରୋହି ଭାକୁରରେ କଟକ ଏବଂ ଭୁବନେଶ୍ୱର ବାସିଙ୍କ ହାଣ୍ଡିଶାଳ ବାସୁଥିଲା ହେଲେ ଏବେ ଦଳ ଭର୍ତୀ ହୋଇଯିବା କାରଣରୁ ସେଠି ଜାଲ ପଡିପାରୁନାହିଁ ।

୨୦୦୮ ମସିହାରେ ଅଂଶୁପାର ବିକାଶ ପାଇଁ ରାଜ୍ୟ ସରକାର ଦେଇଥିଲେ ୬.୪୧ କୋଟି । ଯୋଜନା ଥିଲା ହ୍ରଦରେ ରୋପେଓ ନିର୍ମାଣ ହେବ, ନୌକା ବିହାର ସୁବିଧା, ଏକ ହସ୍ତଶିଳ୍ପ ବଜାରର ନିର୍ମାଣ, ହରିଣ ପାର୍କର ବିକାଶ କରାଯିବ । ହେଲେ ସେ ଅର୍ଥ କେଉଁଠି ଆଉ କେମିତି ଖର୍ଚ୍ଚ ହେଲା ତାହା ଅଂଶୁପା ବୁଲିଲେ ଜଣାପଡୁଛି । ନୌକା ବିହାର ଦୁରର କଥା ଏଠି ୨-୩ଟି ଫାଇବର ବୋଟ ପଡିଛି ହେଲେ ତାହା ଚାରିପଟେ ଏତେ ଦଳ ଅଛି ଯେ ତାହା ୨ ହାତବି ଚାଲିବା ସମ୍ଭବ ନୁହେଁ । ହରିଣ ପାର୍କର ଚିହ୍ନ ବର୍ଣ୍ଣ ନାହିଁ । ରୋପେଓ ଯୋଜନାର କିଛି ଚିହ୍ନ ବର୍ଣ୍ଣ ନାହିଁ । ସ୍ଥାନୀୟ ନେତା ଏବଂ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାକୁ ହରିଲୁଟ ହୋଇଥିବା ସ୍ପଷ୍ଟ ।

ଅଂଶୁପାକୁ ମହାନଦୀ ସହ ଯୋଡୁଥିବା ଦୁଇଟି ନାଳ ମୟୁରୀ ନାଳ ଏବଂ କାବୁଲା ନାଳର ଖନନ ପାଇଁ ବି ୨୦୧୦ ମସିହାରେ ୪ କୋଟି ଟଙ୍କା ବ୍ୟୟ ହୋଇଛି । ହେଲେ ଏହି ଦୁଇଟି ନାଳରେ ଏବେ ଏତେ ମାତ୍ରାରେ ଦଳ ଅଛି ଯେ ତାହା ଏକ ପଙ୍କୁଆ ଚାଷ ଜମି ଭଳି ଦେଖାଯାଉଛି । ନାଳ ଦୁଇଟିର ଜଳଧାରଣ କ୍ଷମତା ଏବେ ନାହିଁ କହିଲେ ଚଳେ । ସେଥିରେ ବି ବଡଧରଣର ଦୁର୍ନୀତି ହୋଇଥିବା କଥା ସାମାନାକୁ ଆସିଛି ।

୨୦୧୪ ମସିହାରେ ବି ଅଂଶୁପା ହ୍ରଦର ବିକାଶ ପାଇଁ ୮ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଅଂଶୁପା ପାଖରେ ଏକ କ୍ୟାଫେଟେରିଆ, ବିଶ୍ରାମସ୍ଥଳି, ସାରଙ୍ଗଗଡରେ ପାନ୍ଥନିବାସ ଶୈଳିରେ ରାତ୍ର ରହଣି ସ୍ଥଳର ବିକାଶ ଆଦି ପାଇଁ ଆସିଥିଲା ଏହି ହ୍ରଦ । କ୍ୟାଫେଟେରିଆ, ବିଶ୍ରାମସ୍ଥଳିର ନିର୍ମାଣ କାମ ସରିନଥିବାବେଳେ ସାରଙ୍ଗଗଡରେ ଥିବା ପାନ୍ଥନିବାସର ନିର୍ମାଣ କାମ ସରି ଏବେ ସେଠାରେ ପର୍ଯ୍ୟଟକ ରହିବାର ସୁବିଧା ଅଛି । ହେଲେ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନଥିବା କାରଣରୁ ଏବଂ ରାତ୍ରିକୁ ୪୦୦୦ ଟଙ୍କା ଦେୟ ଦେବାକୁ ପଡୁଥିବାରୁ ଏଠାକୁ ଖୁବ କମ ପର୍ଯ୍ୟଟକ ଆସୁଥିବା ଜଣାପଡିଛି । ମାସକୁ ମାତ୍ର ୭ ରୁ ୮ ଟି ବୁକିଙ୍ଗ ହେଉଥିବା କଥା ସେଠି କାମକରୁଥିବା କେୟାର ଟେକର କହିଛନ୍ତି । 

୨୦୧୬ ମସିହାରେ ମହାନଦୀ ଉପରେ ଅଂଶୁପା ପାଖରେ ବ୍ରିଜ ହୋଇଯିବା କାରଣରୁ ଏବେ ଏଠାକୁ ଭୁବନେଶ୍ୱର ଏବଂ କଟକରୁ ଦୁରତା କମି ଯାଇଛି । ପର୍ଯ୍ୟଟକ ମାନେ ବ୍ୟାପକ ମାତ୍ରାରେ ଆସିବାର ସମ୍ଭାବନା ଥିବାବେଳେ ଅଂଶୁପାର ଅବ୍ୟବସ୍ଥା ଏଥିରେ ବାଧକ ସାଜିଛି ।

Subscribe

National International State Sports Entertainment