ପିଏମ ମୋଦୀଙ୍କ ପାଇଁ ୨୦୦ ଯବାନ କୁର୍ତ୍ତା-ପାଇଜାମା ପିନ୍ଧି କଲେ ଡ୍ୟୁଟି !
Khabar Odisha:pm-narendra-modi-indore-visit-security-personals-khadi-kurta-payjama-mp-police-spg-pm-security-dawoodi-bohra
ଇନ୍ଦୋର, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଢ ଘଣ୍ଟାର ଇନ୍ଦୋର ରହଣି ସମୟରେ ପୋଲିସ ବଳ ସୁରକ୍ଷା ବ୍ୟବସ୍ଥାରେ ନୂତନ ତରିକା ଆପଣେଇଛି। ଆୟୋଜନ ସ୍ଥଳରେ କୌଣସି ପ୍ରକାରର ଭ୍ରମ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି କୌଣସି ଭୁଲ ସନ୍ଦେଶ ନଯିବ ତାକୁ ଦୃଷ୍ଟିରେ ରଖି ସୁରକ୍ଷାବଳର ଯବାନ ଖାକି ପୋଷାକ ନୁହେଁ   ବରଂ ଖଦିର କୁର୍ତ୍ତା ଓ ପାଇଜାମା ପିନ୍ଧି ଡ୍ୟୁଟି କରିଥିଲେ। 

ଆଜି ସୈଫି ମସଜିଦରେ ଦାଉଦି ବୋହରା ସମୁଦାୟର ଧର୍ମଗୁରୁ ସୈୟଦନା ମୁଫଦଲ ସୈଫୁଦ୍ଦୀନଙ୍କ ଉପସ୍ଥିତିରେ ଆୟୋଜିତ ଆସରା ମୁବାରକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଇନ୍ଦୋରରେ ପହଞ୍ଚିଥିଲେ। ଆୟୋଜନ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ଏସପିଜିର କମାଣ୍ଡୋ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲେ। 

ସୁରକ୍ଷା ଦୃଷ୍ଟିରୁ ସୈଫି ନଗରର ଯେଉଁ ମାର୍ଗରେ ପ୍ରଧାନମନ୍ତ୍ରୀ ଯାତ୍ରା କରୁଥିଲେ ସେଠାରେ ପ୍ରତ୍ୟେକ ଘର ବାହାରେ ପୋଲିସ ଯବାନଙ୍କ ପହରା ରହିଥିଲା। କୌଣସି ବ୍ୟକ୍ତି ନିଜର ଝରକା ମଧ୍ୟ ଖୋଲି ପାରିନଥିଲେ। କୌଣସି ଜନତାଙ୍କୁ ସଡ଼କ କିମ୍ବା ଘର  ବାହାରେ ଛିଡ଼ା ହେବାର ଅନୁମତି ଦିଆଯାଇନଥିଲା। କେବଳ ଏତିକି ନୁହେଁ ଜଣେ ହେଲେ ମଧ୍ୟ ଘରର ଛାତରେ ନଜର ଆସିନଥିଲେ। ସୁରକ୍ଷା ପାଇଁ ଡ୍ରୋନ  କ୍ୟାମେରା ଓ ସିସିଟିଭି କ୍ୟାମେରାର ସାହାରା ମଧ୍ୟ ନିଆଯାଇଥିଲା। 

ଆୟୋଜନ ସ୍ଥଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୋଲିସ ଯବାନଙ୍କୁ ମଧ୍ୟ ବସାଯାଇଥିଲା। ଏହି ଯବାନ ଖାକିରେ ନୁହଁ ବରଂ କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ।  ଅବଶ୍ୟ ତାଙ୍କ ବାହୁରେ ପୋଲିସ ଲେଖାଯାଇଥିଲା। ପାଖାପାଖି ୨୦୦ ଯବାନଙ୍କୁ ଖଦିର କୁର୍ତ୍ତା-ପାଇଜାମା ପୋଷାକରେ ମୁତୟନ କରାଯାଇଥିଲା। 

ଇନ୍ଦୋର ପୋଲିସ ଉପ ମହାନିରୀକ୍ଷକ(ଡିଆଇଜି) ହରି ନାରାୟଣ ଚାରି ମିଶ୍ର କହିଛନ୍ତି ଯେ ଯବାନଙ୍କୁ ଧଳା କୁର୍ତ୍ତା-ପାଇଜାମାରେ ମୁତୟନ କରାଯିବାର ଖାସ୍ କାରଣ ଏହା ଯେ ଏହି ଆୟୋଜନରେ ଯୋଗ ଦେଇଥିବା ସମସ୍ତ ଧର୍ମାବଲମ୍ବୀ କୁର୍ତ୍ତା-ପାଇଜାମାରେ ଥିଲେ ଏବଂ ପୋଲିସ ଯବାନ ମଧ୍ୟ ଏହି ଡ୍ରେସରେ ଥିଲେ। ଏଥିରେ କାହାରିକୁ ଭ୍ରମ କିମ୍ବା ଅସୁବିଧା ହୋଇନଥିଲା। ଯଦି ଯବାନ ଖାକି ପୋଷାକରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବସିଥାନ୍ତେ ତେବେ ତାହା ଠିକ୍ ହୋଇନଥାନ୍ତା ଏବଂ ପୋଲିସକୁ ଶ୍ରଦ୍ଧାଳୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତେ। 

  • Tags:

Subscribe

National International State Sports Entertainment