କନ୍ଧମାଳ: କନ୍ଧମାଳ ଜିଲ୍ଲାକୁ ପୁଣି ଲେଉଟିଛି ଶୀତ ଲହରୀ। ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଫୁଲବାଣୀ ସମେତ ଜିଲ୍ଲାର ଫିରିଙ୍ଗିଆ, ବାଲିଗୁଡା,ଚକାପାଦ, ଟିକାବାଲି, ଜି ଉଦୟଗିରି, ତୁମୁଡ଼ିବନ୍ଧ, ରାଇକିଆ ଓ ଦାରିଙ୍ଗବାଡ଼ି ଭଳି ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଲାଗି ରହିଥିବା ବେଳେ ଜାଡ ଅନୁଭୂତ ହେଉଛି I ଘନ କୁହୁଡ଼ିର ଦୃଶ୍ୟମାନ ଏବେ ୫୦ ରୁ ୬୦ ମିଟରକୁ ଖସି ଆସିଛି। ଜାଡରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ , ଖରା ଓ ଶୀତ ବସ୍ତ୍ରର ସହାୟତା ନେଉଛନ୍ତି।
ଘନ କୁହୁଡି ଦୀର୍ଘ ୧୦ ଟା ଯାଏଁ ଲାଗି ରହୁଥିବାରୁ ଜୀବନ ଯାତ୍ରା ବ୍ୟାହତ ହେଉଛି। ଶୁକ୍ରବାର ଫୁଲବାଣୀର ତାପମାତ୍ରା ୭.୫ ଡ଼ିଗ୍ରୀ ସେଲସିଆସ ରହିଥିବା ବେଳେ ଦାରିଂବାଡ଼ିର ତାପମାତ୍ରା ୮.୫ ରହିଛି। ଗୁରୁବାର ଠାରୁ ଶୁକ୍ରବାର ୨ ଡ଼ିଗ୍ରୀ କମିଛି ତାପମାତ୍ରା। ଏପରି ଭାବେ ତାପମାତ୍ରା ଲଗାତାର କମିବା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସଞ୍ଜ ନଇଁବା ସହିତ ଶୀତ ର ପ୍ରକୋପ ବୃଦ୍ଧି ପାଉଛି। ଲୋକେ ମଧ୍ୟ ଫୁଲବାଣୀଆ ଜାଡରେ ଜାଡେଇ ଯାଉଥିବା କହୁଛନ୍ତି।