ନୂଆଦିଲ୍ଲୀ, ବିଧବାଙ୍କୁ ନେଇ ସମାଜରେ ଅନେକ ଭ୍ରାନ୍ତ ଧାରଣା ରହିଛି । ବିଧବାମାନେ ରଙ୍ଗୀନ ଶାଢ଼ୀ ନ ପିନ୍ଧି ଧଳା ଶାଢ଼ୀ ପିନ୍ଧିବା ଉଚିତ । ବିଧବା ମାନେ କୌଣସି ମାଙ୍ଗଳିକ କାର୍ୟ୍ୟରେ ଯୋଗ ଦେବା ଅଶୁଭ, ଏମିତି ଅନେକ କିଛି । କିନ୍ତୁ ଯୁଗ ପରିବର୍ତ୍ତନ ହେବା ଲୋକଙ୍କ ମାନସିକତା ମଧ୍ୟ ଧିରେ ଧିରେ ପରବର୍ତ୍ତନ ହୋଇଛି । କିନ୍ତୁ ଆଜିକା ଆଧୁନିକ ଯୁଗରେ ବିଧାବାଙ୍କ ମେକ୍ଅପ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାଟନା ଉଚ୍ଚ ଅଦାଲତ । ବିଧବାମାନଙ୍କୁ ମେକ୍ଅପ୍ କରିବା କଣ ଦରକାର ବୋଲି ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ହାଇକୋର୍ଟକୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଭର୍ତ୍ସନାର ସାମ୍ନା କରିବାକୁ ପଡ଼ିଛି । ପାଟନା ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟକୁ ଆପତ୍ତିଜନକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ୧୯୮୫ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ପାଟନା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଦାୟର ହୋଇଥିବା ଅଭିଯୋଗର ଶୁଣାଣି କରୁଥିଲେ । ମାମଲାରେ ଏକ ମହିଳା ନିଜ ବାପାଙ୍କ ଘରକୁ କବଜା କରି ରହୁଥିଲେ ଏବଂ ପରେ ତାଙ୍କର ଅପହରଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପାଟନା ହାଇକୋର୍ଟ ଏହାର ଶୁଣାଣି କରି ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଦୁଇ ଜଣକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ନ୍ୟାୟମୂର୍ତ୍ତି ବେଲା ଏମ୍. ତ୍ରିବେଦୀ ଏବଂ ନ୍ୟାୟମୂର୍ତ୍ତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ ହତ୍ୟା ହୋଇଥିବା ପୀଡିତା ସତରେ ସେ ଘରେ ରହୁଥିଲେ କି ନାହଁ ଯାଞ୍ଚ କରିଥିଲେ ନା ନାହିଁ ହାଇକୋର୍ଟ?
ସୁପ୍ରିମକୋର୍ଟ ଆହୁରି କହିଥିଲେ ଯେ ପୀଡ଼ିତା ମହିଳାଙ୍କ ମାମୁଁ ଏବଂ ଅନ୍ୟଜଣେ ସମ୍ପର୍କିୟଙ୍କ ପ୍ରମାଣକୁ ଭିତ୍ତିକରି ସେ ସେହି ଘରେ ରହୁଥିଲେ ବୋଲି ହାଇକୋର୍ଟ ନିଷ୍ପତ୍ତିରେ ପହଁଚିଥିଲେ । ତଦନ୍ତ କରୁଥିବା ଅଧିକାରୀ ଉକ୍ତ ଘରୁ କେବଳ କିଛି ପ୍ରସାଧାନ ସାମଗ୍ରୀ (ମେକ୍ଅପ୍)କୁ ଛାଡ଼ି ଦେଲେ ଆଉ କୌଣସି ପ୍ରମାଣ ଜବତ କରି ପାରିଲେ ନାହିଁ । ଯେଉଁଥିରୁ ସ୍ପଷ୍ଟ ହୋଇପାରିଥାଆନ୍ତା କି ସମ୍ପୃକ୍ତ ମହିଳା ଜଣକ ସେଠାରେ ରହୁଥିଲେ । ତେବେ ଖଣ୍ଡପୀଠ ଏଠାରେ କହିଥିଲେ ଯେ ହୋଇଥାଇପାରେ ଘରର ଆଉ ଏକ ଅଂଶରେ ବିଧବା ମହିଳା ରହୁଥିଲେ ଆଉ ତାଙ୍କର ସମସ୍ତ ସାମଗ୍ରୀ ହୋଇଥାଇ ପାରେ ।
ସୁପ୍ରିମକୋର୍ଟ ଏହି ତଥ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ମାତ୍ର ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା କି ବିଧବା ମହିଳାର ଏହି ମେକ୍ଅପ୍ ସାମଗ୍ରୀ ହୋଇ ପାରିବ ନାହିଁ । କାରଣ ବିଧବା ମହିଳା ଜଣକୁ ମେକ୍ଅପ୍ କରିବାର ଆବଶ୍ୟକତା ହିଁ ନାହିଁ । ତେବେ ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ଶୁଣି ସୁପ୍ରିମକୋର୍ଟ ଖଣ୍ଡପୀଠ କ୍ଷୁବ୍ଧ ହୋଇଯାଇଥିଲେ ଏବଂ କହିଥିଲେ ଯେ ହାଇକୋର୍ଟଙ୍କ ଏଭଳି ଟିପ୍ପଣୀ କେବଳ ଆଇନ ଅନୁସାରେ ଅସମର୍ଥ ନୁହେଁ ବରଂ ଅତ୍ୟନ୍ତ ଆପତ୍ତିଜନକ ଅଟେ ।
ଖଣ୍ଡପୀଠ କହିଥିଲେ ଯେ ପୁରା ଘରେ ମୃତ ମହିଳାଙ୍କର କୌଣସି ବ୍ୟକ୍ତିଗତ ଜିନିଷ ମିଳି ନ ଥିଲା । ୧୯୮୫, ଅଗଷ୍ଟରେ ମୁଙ୍ଗେର ଜିଲ୍ଲାରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସମ୍ପର୍କୀୟମାନେ ଏତଲା ଦେଇଥିଲେ । ପ୍ରଥମେ ମାମଲାର ରୁଜୁ ହୋଇଥିଲା ଏବଂ ପରେ ୭ ଜଣଙ୍କ ନାମ ଯୋଡ଼ା ଯାଇଥିଲା । ହାଇକୋର୍ଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ଜଣଙ୍କୁ ମୁକ୍ତ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ଦୋଷୀଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ । ଏହା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।