ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଘରେ କରିନେଇଛନ୍ତି । ବିଶ୍ୱ ବିଜୟୀ ହୋଇ କୋଟି କୋଟି ଝିଅଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଆଉ ହଁ ସେହି ବ୍ୟକ୍ତିଙ୍କୁ ଦୃଢ଼ ଜବାବ ଦେଇଛନ୍ତି, ଯିଏ ଦିନେ କହିଥିଲେ ଯଦି ମୁଁ ଥାଆନ୍ତି କେବେବି ମହିଳା କ୍ରିକେଟ୍ ଖେଳ ହେବାକୁ ଦେଇ ନ ଥାଆନ୍ତି । ସିଏ ଆଉ କେହି ନୁହଁନ୍ତି, ବରଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍. ଶ୍ରୀନିବାସନ୍ ।
ପୂର୍ବତନ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ଡାୟନା ଏଜୁଲ୍ଜୀଙ୍କ ଏକ ପୁରୁଣା ଭିଡ଼ିଓ ବେଶ୍ ଭାଇରାଲ ହେଉଛି । ସେ ୨୦୧୭ରେ ଏକ ସାକ୍ଷାତକାର ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଡାୟନା କହିଥିଲେ, ଏନ୍. ଶ୍ରୀନିବାସନ ଯେତେବେଳେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ବା ବିସିସିଆଇର ଅଧ୍ୟକ୍ଷ ହେଲେ ସେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ । ଆଉ ତତ୍କାଳୀନ ବିସିସିଆଇ ଅଧ୍ୟକ୍ଷ ଶ୍ରୀନିବାସନ୍ କହିଥିଲେ ଯଦି ମୋ ପାଖରେ କ୍ଷମତା ଥାଆନ୍ତା ତାହାହେଲେ ମୁଁ କେବେ ମହିଳା କ୍ରିକେଟ୍ ଖେଳ ହେବାକୁ ହିଁ ଦେଇ ନଥାଆନ୍ତି । କାରଣ ତାଙ୍କୁ ମହିଳା କ୍ରିକେଟ୍ ବିଲକୁଲ ପସନ୍ଦ ନ ଥିଲା ।
ଡାୟନା ଆହୁରି କହିଥିଲେ, ୨୦୦୬ରେ ମହିଳା କ୍ରିକେଟ୍ ବିସିସିଆଇ ଅଧିନରେ ଆସିବା ପରେ ମୁଁ ସବୁବେଳେ ବିସିସିଆଇ ସହିତ ଆଲୋଚନା କରୁଥିଲି । କିନ୍ତୁ ବିସିସିଆଇ ସବୁବେଳେ ପୁରୁଷ ଟିମକୁ ପ୍ରାଥମିକତା ଦେଉଥିଲା । କିନ୍ତୁ ସମୟ ବଦଳିଥିଲା ଯେତେବେଳେ ଜୟ ଶାହ ବିସିସିଆଇର ସଚିବ ହେଲେ । ତାଙ୍କ କାର୍ୟ୍ୟକାଳ ସମୟରେ ମହିଳା କ୍ରିକେଟ ଦଳର ଅନେକ ପରିବର୍ତ୍ତନ ହୋଇଛି । ଯେମିତି କି ମହିଳାଙ୍କ କ୍ରିକେଟ୍ ପ୍ରମିୟର୍ ଲିଗ୍, ମହିଳା ଏବଂ ପୁରୁଷଙ୍କୁ ସମାମନ ମ୍ୟାଚ ପାଇଁ ସମାନ ଦରମା ଏବଂ ମହିଳା କ୍ରିକେଟ ଟିମକୁ ତାର ପରିଚୟ ଦେବା ଭଳି ଅନେକ ସୁଧାର ଆଣିଥିଲେ ।
ଅନ୍ୟପକ୍ଷେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍. ଶ୍ରୀନିବାସନଙ୍କ କାର୍ୟ୍ୟକାଳ ଅନେକ ବିବାଦ ଘେରରେ ରହିଥିଲା । ୨୦୧୪ରେ ଆଇପିଏଲ୍ ମ୍ୟାଚ୍ ଫିକ୍ସିଂ ପରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । ସେ ସବୁବେଳେ ମହିଳା କ୍ରିକେଟ୍ ଉପରେ ନକରାତ୍ମକ ଟିପ୍ପଣୀ ଦେଉଥିଲେ ।