ନବରଙ୍ଗପୁର: ଗୋଟିଏ ପଟେ ରାଜ୍ୟରେ ଝିଅମାନେ ରଜ ପାଳୁଥିବାବେଳେ ଆଉ ଗୋଟିଏ ଜଣେ ଯୁବତୀଙ୍କ ସହିତ ହୋଇଛି ଦୁଷ୍କର୍ମ ସହିତ ବିଭତ୍ସ ହତ୍ୟା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା । ବାପା ଛେଉଣ୍ଡ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶ ଦେଖାଦେଇଛି ।
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଓ ପରେ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।
ରବିବାର ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥିଙ୍କ ସହ ଯୁବତୀ ଜଣକ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳୁ ଘର ବାରିପଟେ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ , ଏସ୍ପି ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ପରିବାରବର୍ଗ ।
ଅନ୍ୟପଟେ ଘଟଣା ସ୍ଥଳରେ ଏସ୍ପି ଜଗଦୀଶ ପାର୍ଥ କଶ୍ୟପ ପହଞ୍ଚି ସାଇଣ୍ଟିଫିକ ଟିମର ରିପୋର୍ଟ ତଥା ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯାଇ ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।