ମୁମ୍ବାଇ: ପୁଣି ଥରେ ଭାରତୀୟ ନାରୀ ପ୍ରମାଣ କରି ଦେଖାଇଛନ୍ତି ସେ ସ୍ୱପ୍ନ ଦେଖିବା କେବେ ଛାଡ଼ିବା ନାହିଁ । ଦୀର୍ଘ ବର୍ଷ ବର୍ଷର ଅପେକ୍ଷା ପରେ ବିଶ୍ୱ ବିଜୟୀ ହୋଇଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱ କପ୍ ଉଠାଇଥିବା ମହିଳା ଦଳ ଉପରେ ଏବେ ଧନ ବର୍ଷା ହେଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ଭାରତୀୟ ଦଳକୁ ୫୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି ।
ବିସିସିଆଇ ସମସ୍ତ ଖେଳାଳି ଏବଂ କର୍ମଚାରୀଙ୍କ ପାଇଁ ୫୧ କୋଟି ଟଙ୍କା ଦେବ । ବିସିସିଆଇ ସଚିବ ଦେବଜୀତ ସୈକିୟା ଏହି ସୂଚନା ଦେଇଛନ୍ତି । ସବୁବେଳେ ଅଣଦେଖା ହୋଇ ରହିଥିବା ମହିଳା ଟିମକୁ ପ୍ରଥମ ଥର ପାଇଁ ଏତେ ଟଙ୍କା ଧନରାଶି ମିଳିବାକୁ ଯାଉଛି । ସଚିବ ସୈକିୟା ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ୧୯୮୩ରେ କପିଲ ଦେବ ଭାରତକୁ ବିଶ୍ୱ କପ୍ ଜିତାଇ ଭାରତୀୟ କ୍ରିକେଟକୁ ନୂଆ ଶକ୍ତି ଏବଂ ପ୍ରେରଣା ଦେଇଥିଲା । ଏବେ ହରମନପ୍ରୀତ କୌର ଏବଂ ତାଙ୍କ ଦଳ ସେହି ଜୋଶ୍ ଏବଂ ଉତ୍ସାହ ପୁଣି ଥରେ ଭରି ଦେଇଛନ୍ତି । ସେ କେବଳ ଟ୍ରଫି ଜିତି ନାହାଁନ୍ତି ବରଂ ସମଗ୍ର ଦେଶର ହୃଦୟ ଜିତିଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଦଳର ଏହି ବିଜୟ ଭବିଷ୍ୟତରେ ଏକ ନୂଆ ଦିଗ ଦେବ ଏବଂ ଆଗାମୀ ପୀଢ଼ିର ଖେଳାଳୀଙ୍କୁ ପ୍ରେରଣା ଦେବ ।
ସଚିବ ଦେବଜୀତ ସୈକିୟା, ଆଇସିସି ଚେୟାପମ୍ୟାନ ଏବଂ ପୂର୍ବତନ ବିସିସିଆଇ ସଚିବ ଜୟ ଶାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଯିଏ ମହିଳା ଖେଳାଳୀଙ୍କ ପାଇଁ ଏତେ ବଡ଼ ପଦକ୍ଷେପ ଉଠାଇଛନ୍ତି । ସେ କହିଛନ୍ତି, ଜୟ ଶାହଙ୍କ ନେତୃତ୍ୱରେ ମହିଳା କ୍ରିକେଟ୍ ଟିମରେ ବଡ଼ ପରିବର୍ତ୍ତନ ଆସିଛି । ସମାନ ଦରମା ଉପରେ ଧ୍ୟାନ ଦେଇଛନ୍ତି । ମହିଳା କ୍ରିକେଟ୍ ଟିମର ବିଜୟ ଧନରାଶିକୁ ୩୦୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ୨.୮୮ ମିଲିୟନ ଡଲାରକୁ ବୃଦ୍ଧି କରାଯାଇ ୧୪ ମିଲିୟନ ଡଲାର କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ମହିଳା ଦଳକୁ ଏକ ଉତ୍ସାହ ମିଳିଛି ।
ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ସାଜିଛି । ୨୦୦୫ ଏବଂ ୨୦୧୭ ପରେ ଏହା ଭାରତୀୟ ଦଳର ତୃତୀୟ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା। ଶେଷରେ, ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ କପ୍ ଜିତି ଇତିହାସ ରଚିଛି ଚାମ୍ପିଅନ ଦଳକୁ ପ୍ରାୟ ୪୨ କୋଟିର ରେକର୍ଡ ପୁରସ୍କାର ରାଶି ମିଳିଛି । ମହିଳା ବିଶ୍ୱକପ୍ ପାଇଁ ପ୍ରାୟ ୧୨୩ କୋଟିର ଏକ ପୁରସ୍କାର ରାଶି ସ୍ଥିର କରାଯାଇଥିଲା।