ଭୁବନେଶ୍ୱର: ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ପାଇଁ ବର୍ଷା ନେଇ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ରାଜ୍ୟରେ ବର୍ତ୍ତମାନ ବାତ୍ୟା ସମ୍ଭାବନା ନ ଥିବା କହିଛନ୍ତି । କିନ୍ତୁ ଆସନ୍ତା ୨୦ରେ ଉତ୍ତର ଆଣ୍ଡାମାନ ଉପରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ସମୟ କ୍ରମେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଧିରେ ଧିରେ ଘନୀଭୂତ ହୋଇ ଅକ୍ଟୋବର ୨୪ରେ ଅବପାତରେ ପରିଣତ ହେବ ।
ସୃଷ୍ଟି ହେବାକୁ ଥିବା ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ୨୩, ୨୪ ଏବଂ ୨୫ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।