ଭୁବନେଶ୍ୱର: ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବିଦ୍ୟାଧର ଗୁରୁ । ଜେଲରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଝୁନୁ ବେହେରା ଅଭିଯୋଗ କରିଛନ୍ତି ।
ଆଜି ସକାଳେ ବିଦ୍ୟାଧରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ମାତ୍ର ସେ ଆସି ପହଁଚିଲା ପରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।
ସ୍ତ୍ରୀ ଝୁନୁ ବେହେରା ଝାରପଡ଼ା ଜେଲ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସ୍ୱାମୀଙ୍କୁ ପିଟି ହତ୍ୟା କରାଯାଇଥିବା ସେ କହିଛନ୍ତି । ମୃତ ବିଦ୍ୟାଧର ଗୁରୁଙ୍କର ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ବିଦ୍ୟାଧରଙ୍କ ମୃତ୍ୟୁକୁ ଝାରପଡ଼ା ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।
ଅକ୍ଟୋବର ୫ ତାରିଖରେ ବିଦ୍ୟାଧର ଗୁରୁଙ୍କୁ ବ୍ରାଉନ ସୁଗାର ମାମଲାରେ ବିଦ୍ୟାଧରଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । କୋର୍ଟରେ ତାଙ୍କ ବିରୋଧରେ ମାମଲା ଚାଲୁଥିଲା । ସେ ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ଭାବରେ ରହିଥିଲେ ।