ଭଦ୍ରକ : ଲୋଭରେ ବଶବର୍ତ୍ତୀ ହୋଇ ବଧୂଙ୍କୁ ହତ୍ୟା କରୁଛନ୍ତି ଶଶୁର ଘର ଲୋକେ। ଟଙ୍କାର ଲୋଭ ଉଜାଡି ଦେଉଛି ସୁନାର ସଂସାର। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ବ୍ଲକରେ। ତକିଆ ପକାଇ ଶାଶୂଘର ଲୋକେ ଜଣେ ବଧୂକୁ ହତ୍ୟା କରିଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ତନୟା ନାଏକ।
ଘଟଣାରୁ ପ୍ରକାଶ ଯେ, ଗତ 2021 ମସିହାରେ ତନୟା ଚାନ୍ଦବାଲି ଏନ୍ଏସି କୁବେର ସାହିର ସୁରେଶ ସାହୁଙ୍କ ପୁଅ ରତିକାନ୍ତ ସାହୁଙ୍କୁ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ ।ବିବାହ ର କିଛି ଦିନ ପର୍ଯ୍ୟନ୍ତ ତାଙ୍କର ଦାମ୍ପତ୍ୟ ଜୀବନ ସୁଖରେ କଟିଥିଲା। ମାତ୍ର ବିବାହର କିଛି ଦିନପରେ ତନୟାଙ୍କ ଶାଶୁ ତାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ରାଜି ହୋଇନଥିଲେ ତନୟା। ଯାହାଫଳରେ ତାଙ୍କ ଉପରେ ଶାଶୁ , ଶଶୁର ଏବଂ ସ୍ୱାମୀ ଅତ୍ୟାଚାର କରିବା ଆରମ୍ଭ କରିଥିଲେ।
ଆଉ ଗତ 15 ତାରିଖରେ ଝିଅକୁ ତକିଆ ପକାଇ ଜୀବନରୁ ମାରି ଦେଇଥିବା ତନୟାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହା ସହିତ ପୋଲିସ ପ୍ରାଥମିକ ତଦନ୍ତ କରି ତନୟାଙ୍କ ଶାଶୁ ଏବଂ ତାଙ୍କର ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।