ତେହରାନ: ହମାସ ନେତା ୟାହା ସିନୱାରର ନିପାତ ମଧ୍ୟପ୍ରାଚ୍ୟରେ ଆଗରୁ ଚାଲିଥିବା ଉତ୍ତେଜନାକୁ ଆହୁରି ବଢାଇ ଦେଇଛି । ଏବେ ଇରାନ ୟାହା ସିନୱାରଙ୍କ ମୃତ୍ୟୁର ଖବରରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଇରାନ ସିନୱାରକୁ ସହିଦ ଦର୍ଶାଇ ଇସ୍ରାଏଲକୁ ସଦାମ ହୁସେନ ଘଟଣା ମଧ୍ୟ ମନେ ପକାଇ ଦେଇଛି । ଇରାନ ବୁଧବାର କହିଛି ଯେ, ସହିଦ ସିନୱାରଙ୍କ ଅନ୍ତିମ କ୍ଷଣ ଯୁବ ବର୍ଗ ଓ ପିଲାଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିବ ।
ମିଳିତ ଜାତିସଂଘରେ ଇରାନର ସ୍ଥାୟୀ ମିଶନ କହିଛନ୍ତି, ସିନୱାରଙ୍କ ମୃତ୍ୟୁ ଇରାନର ପ୍ରତିଶୋଧର ନିଆଁକୁ ଆହୁରି ମଜବୁତ କରିବ । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଇରାନ ଲେଖିଛି, ଯେ ପର୍ଯ୍ୟନ୍ତ କବଜା ଓ ଆକ୍ରମଣ ହେଉଛି ସେ ପର୍ଯ୍ୟନ୍ତ ପ୍ରତିରୋଧ ଜାରି ରହିବ । ସହିଦ କେବେ ମରେ ନାହିଁ ଏବଂ ସେ ଆମ ପାଇଁ ପ୍ରେରଣାର ସ୍ରୋତ । ଏହା ପୂର୍ବରୁ ଇସ୍ରାଏଲ ରକ୍ଷା ବଳ(ଆଇଡିଏଫ) ବୁଧବାର ଘୋଷଣା କରିଥିଲା, ହମାସ ମୁଖ୍ୟ ୟାହା ସିନୱାର ଆକ୍ରମଣରେ ନିହତ ହୋଇଛି । ସିନୱାର ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା।
ୟୁଏନରେ ଇରାନର ମିଶନ କହିଛନ୍ତି, ଯେବେ ଆମେରିକା ସେନା ସଦ୍ଦାମ ହୁସେନଙ୍କୁ ସୁଡଙ୍ଗରୁ ବାହାର କରିଥିଲା, ସେହି ସମୟରେ ଜୀବନର ଭିକ୍ଷା ମାଗିଥିଲା ସଦାମ । ଯେଉଁମାନେ ସଦ୍ଦାମ ହୁସେନଙ୍କୁ ନିଜର ଆଦର୍ଶ ମାନୁଥିଲେ ସେମାନଙ୍କର ପରାଜୟ ଘଟିଥିଲା । ଏବେ ସିନୱାରଙ୍କ ମୃତ୍ୟୁ ମୁସଲମାନଙ୍କୁ ଆହୁରି ସଶକ୍ତ ଓ ମଜବୁତ କରିବ । ସିନୱାରଙ୍କ ବଳିଦାନ ବେକାର ଯିବ ନାହିଁ ।