ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ତାଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରି କହିଛନ୍ତି, ଏବେ ଟ୍ରାଏଲ ସରିବାର ସମ୍ଭାବନା କ୍ଷୀଣ ଲାରୁଛି । ତେଣୁ ଜୈନଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ଦିଆଯାଉଛି । କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ସମୟରେ ସେଠାରେ ଉପସ୍ଥିତି ଥିବା ତାଙ୍କ ପତ୍ନୀ ଭାବୁକ ହୋଇ କାନ୍ଦି ପକାଇଥିଲେ ।
ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କୁ ଦୀର୍ଘ ସମୟ ଧରି କାରାବାସର ସାମ୍ନା କରିବାକୁ ପଡିଲା । ମୋକଦ୍ଦମା ଶୀଘ୍ର ସରିବାର ସମ୍ଭାବନା କମ ଲାଗୁଛି । କେବେ ସରିବ ତାହା କହିବା ବି ବଡ ମୁସ୍କିଲ । ତେଣୁ ସତ୍ୟେନ୍ଦ୍ର ଜୈନ ଜାମିନ ପାଇବାକୁ ହକଦାର । କୋର୍ଟ ଏହା ମଧ୍ୟ କହିଛନ୍ତି, ସେ ସାକ୍ଷୀମାନଙ୍କ ସହ କୌଣସି ଯୋଗାଯୋଗ ରଖିବେ ନାହିଁ । ମୋକଦ୍ଦମାକୁ ପ୍ରଭାବିତ କରିବେ ନାହିିଁ ଏବଂ ଭାରତରୁ ବାହାର ଯାତ୍ରା କରି ପାରିବେ ନାହିଁ।
ସୂଚନାଯୋଗ୍ୟ, ଜୈନଙ୍କୁ ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଆପ୍ ନେତା ଜୈନଙ୍କୁ ଗତ ବର୍ଷ ମେ ମାସରେ ସ୍ୱାସ୍ଥ୍ୟ ଆଧାରରେ ଜାମିନ ମିଳିିଥିଲା । ସେ ୧୦ ମାସ ପର୍ଯ୍ୟନ୍ତ ଜାମିନରେ ଥିଲେ । ହେଲେ ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କ ନିୟମିତ ଜାମିନ ଉପରେ ସୁପ୍ରିମମକୋର୍ଟରେ ଶୁଣାଣି ହୋଇଥିଲା । ତାଙ୍କୁ କୋର୍ଟ ଆତ୍ମ ସମର୍ପଣ କରିବାକୁ କହିଥିଲେ । ଏହା ପରେ ସେ ମାର୍ଚ୍ଚ ୧୮ରେ ତିହାର ଜେଲରେ ଆତ୍ମ ସମର୍ପଣ କରିଥିଲେ।
ଦିଲ୍ଲୀର ପୂର୍ବତନ ମନ୍ତ୍ରୀଙ୍କୁ ଜାମିନ ମିଳିବା ପାର୍ଟିକୁ ବହୁତ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ଏହି ଜାମିନ ସେହି ସମୟରେ ମିଳିଛି ଯେତେବେଳେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏବେ ଆପର ସମସ୍ତ ନେତା ଜେଲରୁ ବାହାରି ସାରିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂଙ୍କୁ ପ୍ରଥମରୁ କୋର୍ଟରୁ ଆଶ୍ୱସ୍ତି ମିଳି ସାରିଛି ।