କଟକ: ବହୁ ଚର୍ଚ୍ଚିତ ଆର୍ମି ମେଜର ଏବଂ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଭରତପୁର ଥାନା ତତ୍କାଳୀନ ପୁଲିସ କର୍ମଚାରୀଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡ଼ିଛି । ୪ ଜଣ ପୁଲିସଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଏହା ସହିତ କୋର୍ଟ ମାମଲାର କେସ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସପ୍ତାହରେ ହେବ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ଅବକାଶ କାଳୀନ ଅଦାଲତ କାର୍ଯ୍ୟକ୍ରମ ଚାଲିଛି । ଶୁକ୍ରବାର ମାନ୍ୟବର ଉଚ୍ଚ ଅଦାଲତ ସ୍ୱତନ୍ତ୍ର ଭାବେ ଭରତପୁର ଥାନା ମାମଲାର ଶୁଣାଣି କରିଛନ୍ତି । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଆବେଦନକୁ ବାଦ ଦେଲେ ଅନ୍ୟ ୪ ଜଣ ବୈଶାଳିନୀ ପଣ୍ଡା, ସଲୀଳାମୟୀ ସାହୁ, ସାଗରିକା ରଥ ଓ ବଳରାମ ହାଁସଦାଙ୍କ ପକ୍ଷରୁ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । କୋର୍ଟ ମାମଲାର ଶୁଣାଣି କରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି କୋର୍ଟ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀ ଏକ ମାମଲାରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ପୁଲିସ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏ ନେଇ ମେଜର ଅଭିଯୋଗ କରିଥିଲେ । ଏହା ପରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର, ବୈଶାଳିନୀ ପଣ୍ଡା, ସଲୀଳାମୟୀ ସାହୁ, ସାଗରିକା ରଥ ଓ ବଳରାମ ହାଁସଦାଙ୍କୁ ବଦଳି କରାଯିବା ପରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଏହି ମାମଲାରେ ଉଭୟ କ୍ରାଇମବ୍ରାଞ୍ଚ ଏବଂ ବିଚାର ବିଭାଗୀୟ ତଦନ୍ତ ଚାଲିଛି ।