ବ୍ରହ୍ମପୁର: ଗଞ୍ଜମ ଜିଲ୍ଲାର ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ସାଆନ୍ତାଣୀ । ୨୬ ଦିନ ଧରି ବ୍ରହ୍ମପୁର ସହରରେ ଚାଲିଥିବା ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ସମାପନ ହୋଇଛି । ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବହୁ ଆନନ୍ଦ ଓ ଆଡମ୍ବର ସହିତ କରାଯାଇଥାଏ । ଏହି ସମୟରେ ମା’ ସାଆନ୍ତାଣୀ ଶାଶୂ ଘରୁ ବାପା ଘରକୁ ଯାଆନ୍ତି । ଗତ ୩ ତାରିଖରୁ ମା’ ବୁଢ଼ୀ ସାଆନ୍ତାଣୀ ଝିଅ ରୂପରେ ବାପ ଘରକୁ ଯାଇଥିଲେ । ୨୬ ଦିନ ବାପ ଘରେ ରହିସାରିଲା ପରେ ଗତକାଲି ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଯାତ୍ରା ସମୟରେ ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇପଡ଼ିଥିଲା । ଢୋଲ ମହୁରୀ, ଚାଙ୍ଗୁ ବାଜାର ଭଳି ପାରମ୍ପରିକ ବାଦ୍ୟରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାହିଁ କେଉଁ ଆଡୁ ମା'ଙ୍କ ଦର୍ଶନ ପାଇଁ ଭକ୍ତମାନେ ଛୁଟି ଆସିଥିଲେ । ଏବେ ପୁଣି ଥରେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମା’ଙ୍କ ଯାତ୍ରା ପାଇଁ ଅପେକ୍ଷା କରିବାକୁ ପଡିବ ।
ଘଟ ଭିତରେ ଥିବା ମା'ଙ୍କୁ ଦର୍ଶନ କଲେ ଆର୍ଶୀବାଦ ମିଳେ ବୋଲି ବିଶ୍ୱାସ ରହିଛି । ଆଉମଧ୍ୟ ଦୂରଦୂରାନ୍ତରେ ରହୁଥିବା ଭକ୍ତମାନେ ଆସି ଦର୍ଶନ କରିବାର ମାନସିକ ରଖିଥାନ୍ତି । ସବୁ ମହିଳାଙ୍କ ମନରେ ଆଶା ଥାଏ ମା' ଓ ତାଙ୍କ ଆଠ ଭଉଣୀଙ୍କ ଘଟ ଯାତ୍ରାରେ ନିଜେ ଗୋଟିଏ ଘଟ ଧରି ମା'ଙ୍କ ସହିତ ମନ୍ଦିରରେ ପ୍ରବେଶ କରିବା । ଏହି ପ୍ରକ୍ରିୟାକୁ 'ହାଣ୍ଡି ଧରିବା' ବୋଲି କୁହାଯାଏ । ହାଣ୍ଡି ଧରିବା ପାଇଁ ବର୍ଷ ବର୍ଷ ଧରି ମହିଳାମାନେ ମାନସିକ ରଖିଥାନ୍ତି । ମା' ଓ ଘଟଧାରିଣ କରିଥିବା ସମସ୍ତ ମହିଳା ଯେଉଁ ରାସ୍ତାରେ ଯାଆନ୍ତି । ସେ ରାସ୍ତା ପବିତ୍ର ହୋଇଯାଏ, ସେହି ରାସ୍ତାକୁ ସଫା କରିବା, ପାଣିରେ ଧୋଇବା ଓ ଲୁଗା ବା ଶାଢ଼ୀ ପକାଇ ମା'ଙ୍କୁ ଆମନ୍ତ୍ରଣ କରିବା ଆହୁରି ପବିତ୍ରମୟ ହୋଇଯାଏ । ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହିତ ଏହି ଯାତ୍ରାକୁ ପାଳନ କରିଥାନ୍ତି ।