ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ଲାଲ ଦୁର୍ଗ । କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ହିଂସା ଛାଡ଼ି ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ମାଓବାଦୀ । ଏହି କ୍ରମେ ପୁଣି ୨୪ ଜଣ ମାଓବାଦୀ ଛତିଶଗଡ଼ ବୀଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଗତକାଲି ୨୪ ବୀଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କର ମଧ୍ୟରେ ୧୧ ଜଣ ମହିଳା ରହିଥିବାବେଳେ ୧୪ ଜଣଙ୍କୁ ଧରାଇ ଦେଲେ ୨୮.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଭୈରମଗଡ଼ ଏରିଆ କମିଟିର ସୁଡ୍ରୁ ହେମଲା (୩୩) ଓ ପାର୍ତପୁର ଏରିଆ କମିଟିର କମଲି ମୋଡିଆମ୍ ଓରଫ୍ ଉର୍ମିଲା (୩୬) । ଏମାନଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା । ଜୟମୋତି ପୁନେମ (୨୪) ନାଁରେ ୩ ଲକ୍ଷ ଓ ମଙ୍ଗୁ ପୁନେମ (୨୧) ପାଇଁ ୫୦,୦୦୦ ମୁଣ୍ଡ ଜାମିନ ରଖାଯାଇଥିଲା ।
ଅନ୍ୟ ମାଓବାଦୀଙ୍କ ମଧ୍ୟରେ ବୁଜ୍ଜି ପଦମ୍, ସୁକ୍କୋ ପୁନେମ୍, ହିଡମେ ଭେକୋ, ସୋନି କୋର୍ସା ଏବଂ ଲଚ୍ଛା ତାତିଙ୍କ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଥିଲା । ପ୍ରତ୍ୟେକ ଆତ୍ମସମର୍ପଣକାରୀ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ସହାୟତା ମିଳିଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ କରାଯିବ।
ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ନିକଟବର୍ତ୍ତୀ ବିଜାପୁରର କାରେଗୁଟ୍ଟା ପାହାଡ଼ରେ ମାଓ ବିରୋଧୀ ଅଭିଯାନ ଜାରି ରହିଛି । ଯେଉଁଥିରେ ପ୍ରାୟ ୨୪,୦୦୦ ସୁରକ୍ଷା କର୍ମୀ ସାମିଲ ହୋଇଛନ୍ତି । ଏହା ପରେ ମାଓବାଦୀମାନେ ଭୟରେ ଆତ୍ମସମର୍ପଣ କରୁଛନ୍ତି । ଏହି ଆତ୍ମସମର୍ପଣ ସହିତ ଜାନୁଆରୀ ୨୦୨୫ ପରଠାରୁ ବିଜାପୁରରେ ଅସ୍ତ୍ର ଛାଡ଼ିଥିବା ମୋଟ ମାଓବାଦୀଙ୍କ ସଂଖ୍ୟା ୨୦୩ ରେ ପହଞ୍ଚିଛି । ଏହା ବ୍ୟତୀତ, ଜିଲ୍ଲାରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧୩ ଜଣଙ୍କୁ ଗିରଫ କରାଯାଇଛି ।
ପୋଲିସ ରେକର୍ଡ ଅନୁଯାୟୀ, ୨୦୨୪ ମସିହାରେ, ବିଜାପୁର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳରେ ୭୯୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।