ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ରାଜେନ୍ଦ୍ର ଜେନାଙ୍କ ପୁଅ ହେମନ୍ତ କୁମାର ଜେନା। ତେବେ ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଗ୍ରାମବାସୀ ବନ ବିଭାଗକୁ କ୍ଷତିପୂରଣ ଦାବି କରିଛନ୍ତି।
ସୂଚନା ମୁତାବକ, ଅମରଦା ଜଙ୍ଗଲରେ ଝାଡ଼ଖଣ୍ଡର ୧୮ଟି ହାତୀ ରହିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗୁଡିକ ବିଲକୁ ଧାନ ଖାଇବା ପାଇଁ ଆସିଥିଲେ। ତେବେ ଧାନ ଖାଉଥିବାର ଦେଖି ହାତୀକୁ ଘଉଡାଇବା ପାଇଁ ହେମନ୍ତ ବିଲକୁ ଧାଇଁ ଆସିଥିଲେ। ଏହି ସମୟରେ ହେମନ୍ତଙ୍କ ଗୋଡ ଖସିଯିବାରୁ ସେ ତଳେ ପଡିଯାଇଥିଲେ। ଏହାପରେ ହଠାତ ଦନ୍ତାହାତୀଟି ତାଙ୍କୁ ଦଳିଦେଇଥିଲା ଯାହାଫଳରେ ଘଟଣାସ୍ଥଳରେ ହେମନ୍ତଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣା ପରେ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।