ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଶତ୍ରୁତା ଆହୁରି ବଢ଼ିଯାଇଛି । ଭାରତର ପ୍ରତ୍ୟେକ ନାଗରିକ ପ୍ରତିଶୋଧର ନିଆଁରେ ଜଳୁଛନ୍ତି । ପଡ଼ୋଶୀ ଉପରେ ଗୋଟିଏ ପରେ ଗୋଟିଏ କୂଟନୈତିକ ପ୍ରହାର କରୁଛି ହିନ୍ଦୁସ୍ତାନ । କେନ୍ଦ୍ର ସରକାର ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ସହିତ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିଛି । ଏହାରି ମଧ୍ୟରେ ଭାରତ ଆସିଥିବା ଅନେକ ପାକ୍ ନାଗରିକ ସ୍ୱଦେଶ ଫେରୁଛନ୍ତି । ତେବେ ମେଡ଼ିକାଲ ଚିକିତ୍ସା ପାଇଁ ଭାରତ ଆସିଥିବା ପାକିସ୍ତାନ ନାଗରିକ ଅଧାରୁ ଚିକିତ୍ସା ଛାଡ଼ି ଫେରିଛନ୍ତି । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ବିଶ୍ୱରେ ଏତେ ବଡ଼ ବଡ଼ ଦେଶରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବାବେଳେ ପାକିସ୍ତାନୀ ଭାରତକୁ କାହିଁକି ବାଛୁଛନ୍ତି ।
ପ୍ରଥମ କାରଣ ହେଉଛି କମ୍ ଖର୍ଚ୍ଚରେ ଭାରତରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହୋଇଥାଏ । ଯାହାକି ପାକିସ୍ତାନୀ ନାଗରିକଙ୍କ ପକେଟକୁ ସୁହାଇ ଥାଏ । ସେହିପରି ଭାରତ ମେଡ଼ିକାଲ୍ ଟୁରିଜମ୍ କ୍ଷେତ୍ରରେ ଅନେକ ଦେଶଠୁ ଆଗରେ ରହିଛି । ଭାରତୀୟ ଡାକ୍ତର ବିଶ୍ୱରେ ପ୍ରସିଦ୍ଧ ଅଟନ୍ତି । ଆମେରିକା ତୁଳନାରେ ଭାରତେ ମାତ୍ର ୧୦ ପ୍ରତିଶତରୁ ୧ ପ୍ରତିଶତ (୧/୧୦)ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ଯେଉଁଥିପାଇଁ ପାକିସ୍ତାନୀ ନାଗରିକଙ୍କୁ ଆର୍ଥିକ କ୍ଷେତ୍ରରେ ବଡ଼ ସହାୟକ ହୋଇଥାଏ ।
ଅନ୍ୟ ଏକ କାରଣ ହେଉଛି ଯାତାୟତରେ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ । ଭାରତ ଭିସା ସହଜରେ ମିଳି ଯାଇଥାଏ । ତୃତୀୟ କାରଣ ହେଉଛି ଭାଷା । ଆମେରିକା, ଚୀନ ଓ ୟୁରୋପରେ ପାକିସ୍ତାନୀଙ୍କୁ ଭାଷା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାତ୍ର ହିନ୍ଦୀ ଭାଷା ସେମାନେ କହୁଥିବାରୁ ଭାରତରେ ସେହି ସମସ୍ୟା ହୋଇ ନ ଥାଏ । ସେହିପରି ଭାରତ ପରିବେଶ ସହିତ ସେମାନେ ସହଜରେ ଖାପ ଖୁଆଇ ଚଳିଥାନ୍ତି ।
ପାକିସ୍ତାନୀ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି
ପୂର୍ବରୁ ପ୍ରତି ବର୍ଶ ଶହ ଶହ ସଂଖ୍ୟାରେ ପାକ୍ ନାଗରିକ ଚିକିତ୍ସା ପାଇଁ ଭାରତ ଆସୁଥିଲେ । ମାତ୍ର ୨୦୧୭ରେ କୁଳଭୂଷଣ ଯାଧବଙ୍କୁ ଭାରତୀୟ ଗୁଇନ୍ଦା ସନ୍ଦେହରେ ପାକିସ୍ତାନ ବନ୍ଦୀ କରି ରଖିବା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ସେଥିପାଇଁ ଭାରତ ମଧ୍ୟ ମେଡ଼ିକାଲ ଭିସା ସଂଖ୍ୟାରେ ହ୍ରାସ କରିଥିଲା । ୨୦୧୬ରେ ମାତ୍ର ୧୬୦୦ ମେଡ଼ିକାଲର ଭିସାରେ ଭାରତ ଆସିଥିଲେ । ୨୦୨୪ ବେଳକୁ ଏହି ସଂଖ୍ୟା ଅହେତୁକ ଭାବରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ୨୦୧୯ରୁ ୨୦୨୪ ମଧ୍ୟରେ ମାତ୍ର ୧୨୨୮ ଜଣଙ୍କୁ ମେଡ଼ିକାଲ୍ ଭିସା ପ୍ରଦାନ କରାଯାଇଛି । ୨୦୧୯ରେ ୫୫୪, ୨୦୨୦ ୯୭, ୨୦୨୧ରେ ୯୬, ୨୦୨୨ରେ ୧୪୫, ୨୦୨୩ରେ ୧୧୧ ଏବଂ ୨୦୨୪ରେ ୨୨୫ ଜଣ ପାକିସ୍ତାନୀଙ୍କୁ ଏହି ଭିସା ପ୍ରଦାନ କରାଯାଇଛି ।