ସୁପ୍ରିମକୋର୍ଟ ମଙ୍ଗଳବାର ପେଗାସସ୍ ସ୍ପାଏୱାୟାର ମାମଲାର ଶୁଣାଣୀ କରି କହିଛନ୍ତି, ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ। ପେଗାସସ୍ ରିପୋର୍ଟକୁ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ରାସ୍ତାରେ ଦେଶର ସୁରକ୍ଷା ସହିତ ଜଡ଼ିତ ପ୍ରସଙ୍ଗକୁ ଆଲୋଚନା କରାଯାଇପାରିବ ନାହିଁ। ଏଥିସହ କୋର୍ଟ କହିଛନ୍ତି, ଯେ ଯଦି ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପାଏୱାୟାର ରଖନ୍ତି, ତେବେ ଏଥିରେ କୌଣସି ଆପତ୍ତି ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପ୍ରକୃତ ପ୍ରସଙ୍ଗ ହେଉଛି ଏହି ସ୍ପାଏୱେୟାର କାହା ବିରୁଦ୍ଧରେ ବ୍ୟବହାର କରାଯାଉଛି। ଯଦି ଏହା ସାଧାରଣ ନାଗରିକ କିମ୍ବା ନିର୍ଦ୍ଦୋଷ ଲୋକଙ୍କ ଉପରେ ବ୍ୟବହାର କରାଯାଇଛି, ତେବେ ଏହାକୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜାତୀୟ ସୁରକ୍ଷା ସହିତ କୌଣସି ସାଲିସ କରାଯାଇପାରିବ ନାହିଁ ଏବଂ ସୁରକ୍ଷା ଏବଂ ସାର୍ବଭୌମତ୍ୱ ସହିତ ଜଡିତ ଏପରି ରିପୋର୍ଟକୁ ସାର୍ବଜନୀନ କରାଯାଇପାରିବ ନାହିଁ। ବରିଷ୍ଠ ଓକିଲ ଦିନେଶ ଦ୍ୱିବେଦୀ ସରକାର ପେଗାସସ୍ ସ୍ପାଏୱେୟାର କିଣି ବ୍ୟବହାର କରିଛନ୍ତି କି ନାହିଁ ପ୍ରଶ୍ନ ଉଠାଇବା ପରେ ଏହି ମନ୍ତବ୍ୟ ଦିଆଯାଇଛି।
ଜାତୀୟ ସୁରକ୍ଷା ସର୍ବୋପରି: ସୁପ୍ରିମକୋର୍ଟ
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, "ଯଦି ଦେଶ ସ୍ପାଏୱାୟାର ବ୍ୟବହାର କରୁଛି ତେବେ ଏଥିରେ କ'ଣ ଭୁଲ ଅଛି? ସ୍ପାଏୱାୟାର ରଖିବା ଭୁଲ ନୁହେଁ, ପ୍ରଶ୍ନ ହେଉଛି ଏହା କାହା ବିରୁଦ୍ଧରେ ବ୍ୟବହାର କରାଯାଉଛି। ଆମେ ଦେଶର ସୁରକ୍ଷା ସହିତ ସାଲିସ କରିପାରିବୁ ନାହିଁ।" ପେଗାସସ୍ ଅଭିଯୋଗ ବ୍ୟବହାରର ତଦନ୍ତ ପାଇଁ କୋର୍ଟରେ ହୋଇଥିବା ଯୁକ୍ତିର ଉତ୍ତରରେ ଏହି ବିବୃତ୍ତି ଦିଆଯାଇଥିଲା।
ନାଗରିକଙ୍କ ଗୋପନୀୟତା ରହିବ ସୁରକ୍ଷିତ
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, "ଆତଙ୍କବାଦୀମାନେ ଗୋପନୀୟତାର ଅଧିକାର ଦାବି କରିପାରିବେ ନାହିଁ।" ଏହା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସ୍ପଷ୍ଟ କରି କହିଛନ୍ତି, "ଗୋପନୀୟତାର ସାମ୍ବିଧାନିକ ଅଧିକାର ଥିବା ଜଣେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦିଆଯିବ।" ଏହା ଏକ ସ୍ପଷ୍ଟ ସୂଚକ ଥିଲା ଯେ କୋର୍ଟ ସାଧାରଣ ନାଗରିକଙ୍କ ଗୋପନୀୟତାକୁ ସର୍ବୋପରି ବିବେଚନା କରନ୍ତି।
କୋର୍ଟ କହିଛନ୍ତି, ଯଦି କିଏ ସନ୍ଦେହ କରନ୍ତି, ତାଙ୍କୁ ସ୍ପାଏୱେର୍ ଜରିଆରେ ଟାର୍ଗେଟ କରାଯାଉଛି, ସେ କୋର୍ଟକୁ ଯାଇପାରିବେ। ସେମାନଙ୍କୁ ଏନେଇ ସୂଚନା ଦିଆଯିବ। କିନ୍ତୁ ଦେଶର ସୁରକ୍ଷା ସହିତ ସାଲିସ କରିବା ଉଚିତ୍ ନୁହେଁ। ଯଦି ଏହା ଜଣେ ନାଗରିକ ବିରୋଧରେ ବ୍ୟବହାର କରାଯାଏ, ତା ଉପରେ ବିଚାର କରାଯିବ ବୋଲି ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ପେଗାସସ୍ ମାଧ୍ୟମରେ ଗୁପ୍ତଚର ଅଭିଯୋଗର ସୁପ୍ରିମକୋର୍ଟଙ୍କ ବୈଷୟିକ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ଆବେଦନକାରୀମାନେ ଦାବି କରିଥିଲେ ।
ଇସ୍ରାଏଲରେ ପ୍ରସ୍ତୁତ ପେଗାସସ୍ ଜରିଆରେ ଦେଶର କେତେକ ବଡ଼ ବଡ଼ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବାର ଅଭିଯୋଗ ହୋଇଥିଲା । ଏପରିକି ଏହି ତାଲିକାରେ ରାହୁଲ ଗାନ୍ଧୀ, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସା, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଏବଂ ଅନେକ ସାମ୍ବାଦିକ ଏବଂ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ଼। ସୁପ୍ରିମକୋର୍ଟର ବୈଷୟିକ କମିଟି ଗୁପ୍ତଚର ଅଭିଯୋଗର ତଦନ୍ତ କରିଥିଲା। କମିଟି ଯାଞ୍ଚ କରିଥିବା ୨୯ଟି ଫୋନ୍ରେ ପେଗାସସ୍ର କୌଣସି ପ୍ରମାଣ ପାଇଲା ନାହିଁ, କିନ୍ତୁ ୫ଟି ମୋବାଇଲରେ ମିଳିଥିଲା ମାଲୱେର୍।