ଓଡ଼ିଶାରେ ଚାଷୀଙ୍କ ପାଖରେ ଏପର୍ଯ୍ୟନ୍ତ ବିହନ ପହଞ୍ଚି ନାହିଁ । କିନ୍ତୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିହନ ଓଡ଼ିଶା ବଜାରରେ ଚାହିଦା ବଢ଼ାଇଲାଣି । ରାଜ୍ୟର ଗଜପତି ଜିଲ୍ଲାରୁ ଆସୁଛି ଏପରି ରୋଚକ ତଥ୍ୟ । ସାଧାରଣ ଭାବେ ଅକ୍ଷୟ ତୃତୀୟାରୁ ଓଡ଼ିଆ ଚାଷୀ ବିଲରେ ବିହନ ଅନୁକୂଳ କରିଥାଏ । କିନ୍ତୁ ଅକ୍ଷୟ ତୃତୀୟାର ମାସେ ବିତିଲାଣି । ଚାଷୀଙ୍କ ପାଖରେ ପହଞ୍ଚିନାହିଁ ସରକାରୀ ବିହନ । ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ୧୦୦୧, ମସୁରି, ସ୍ୱର୍ଣ୍ଣ ଭଳି ଅଧିକ ଅମଳକ୍ଷମ ଧାନକୁ ଗଜପତି ଜିଲ୍ଲାର ଚାଷୀ ପସନ୍ଦ କରୁନାହାନ୍ତି । ପ୍ରାୟ ସମାନ ଅବଧିର ଅମଳକ୍ଷମ ଗୁଣ ରଖୁଥିବା ଆନ୍ଧ୍ରପ୍ରଦେଶର ୯୯୯, ୭୭୭ କିସମର ବିହନକୁ ଗଜପତି ଜିଲ୍ଲାର ଚାଷୀ ଅଧିକ ପସନ୍ଦ କରୁଛନ୍ତି । ଅବଶ୍ୟ ଏ ସମ୍ପର୍କରେ କୃଷି ବିଭାଗ ଅନୁସନ୍ଧାନ କରିବାର ସମୟ ଆସିଛି ।
ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ୭ ଟି ବ୍ଳକ ମଧ୍ୟରୁ କେବଳ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇ ଥାଏ। ଓଡ଼ିଶା ସରକାର ସବସିଡ଼ ଦେଉଛନ୍ତି । ଅଥଚ ଚାଷୀମାନେ ପଡୋଶୀ ରାଜ୍ୟ ଶ୍ରୀକାକୁଲମର ପୁରୁଣାପାଟଣା, ମେଳିଆପୁଟ ଓ ଚେପରାରୁ ପ୍ରଭୃତି ସ୍ଥାନରୁ ଅଧିକା ଦରରେ ୯୯୯, ୭୭୭ ଧାନ ବିହନ କିଣୁଛନ୍ତି। ଏପରିକି ଜିଲ୍ଲାର ବିଭିନ୍ନ ସାର ଦୋକାନରେ ମଧ୍ୟ ଆନ୍ଧ୍ର ବିହନ ବିକ୍ରି ହେଉଛି । ଚାଷୀଙ୍କ ଅଭିଯୋଗ ହେଲା ସରକାରୀ ବିହନରେ କେଳି ଓ ବାଳୁଙ୍ଗା ବେଶି ପରିମାଣର ରହୁଛି । ତେଣୁ ଓଡିଶା ବିହନକୁ ପସନ୍ଦ ନକରି ଗଜପତି ଜିଲ୍ଲାର ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହେଉଛନ୍ତି। ଅନ୍ୟ ଏକ ସମସ୍ୟା ଆଣିଛନ୍ତି ଚାଷୀ । ଏଠାରେ ବିହନ କିଣିଲା ପରେ ମଧ୍ୟ ଚାଷୀ ବିହନର ରିହାତି ପାଉ ନଥିବାରୁ ଆନ୍ଧ୍ର ବିହନକୁ ମନ ବଳାଉଛନ୍ତି । ଗତ ବର୍ଷର ରିହାତି ମିଳିନଥିବା ଏହାର ପ୍ରମାଣ ବୋଲି ଜଣେ ଚାଷୀ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ : ପୋଖରୀ ଖୋଳିବା ବେଳେ ମାଟିତଳୁ ମିଳିଲା ପୁରୁଣା ମନ୍ଦିର