ପୋଖରୀ ଖୋଳିବା ବେଳେ ମାଟିତଳୁ ମିଳିଲା ପୁରୁଣା ମନ୍ଦିର । ନୂଆପଡା ଜିଲ୍ଲା କୋମନା ସ୍ଥିତ ଦେଉଳ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୋଖରୀ ତଳୁ ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଲିଛି । ଏହା ଦେଖିବା ପାଇଁ କୋମନା ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କର ସେଠାରେ ଭିଡ଼ ଲାଗିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଖରୀଟି ଅନ୍ୟୂନ ୧୫୯୦ ମସିହାରେ ରାଜାରାଜୁଡା ଶାସନ ବେଳେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ପୋଖରିଟି ପୋତି ହୋଇ ଯାଇଛି । ଚଳିତ ବର୍ଷ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା କିଛି ଦିନ ପୂର୍ବେ ସେହି ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପଙ୍କୋଦ୍ଧାର ପାଇଁ ଖନନ ବେଳେ ସୋମବାର ମଧ୍ୟାହ୍ନରେ ପୋଖରୀର ମଧ୍ୟଭାଗରେ ଏକ ଭଙ୍ଗା ଦଦରା ମନ୍ଦିର ଓ ଚୂଳରେ ଲଗାଯାଇଥିବା ତ୍ରିଶୁଳ , ଭଙ୍ଗା ମାଠିଆ, ଲୁହା ଖୁଣ୍ଟ ଓ ତମ୍ବାରେ ତିଆରି ବିଭିନ୍ନ ପୂଜା ସାମଗ୍ରୀ ମାଟିରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ଖବର ସାରା ଅଞ୍ଚଳରେ ପ୍ରଚାରିତ ହୋଇଯାଇଥିଲା । ମାଟିତଳେ ଥିବା ମନ୍ଦିର ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା । ଏପରିକି ସ୍ଥାନୀୟ ବାସିନ୍ଦା କୌଣସି ଦେବୀଙ୍କ ଆଭିର୍ଭାବ ଭାବି ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି । ଏନେଇ ଅଧିକ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ଲୋକେ ନୂଆପଡା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।