କନ୍ଧମାଳ: ସରକାରୀ ବାବୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଅଦାଲତକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ବୈକୁଣ୍ଠନାଥଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ୯ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ବିପୁଳ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ୱର ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର, ପଟିଆ କାନନ ବିହାର, ଚନ୍ଦ୍ରଶେଖରପୁରରେ ୫ଟି ବହୁତଳ କୋଠା ଏବଂ ଭୁବନେଶ୍ୱର, ଧର୍ମଶାଳା ଓ ବାରିପଦାରେ ୧୪ଟି ଦାମି ଜମି ରହିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ୭ଟି ଜମି ରହିଛି । ସେହିପରି ୨ କୋଟି ୬୬ ହଜାର ୪୦୦ ନଗଦ ଟଙ୍କା, ୫୦୦ ଗ୍ରାମ ସୁନା, ୪୫ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା ରାଶି ମଧ୍ୟ ଠାବ କରାଯାଇଥିଲା ।
ସେହିପରି ସ୍ତ୍ରୀଙ୍କ ନାମରେ ଥିବା ଏକ ବ୍ୟାଙ୍କ ଲକରକୁ ଏ ଯାବତ ଖୋଲା ଯାଇ ନାହିଁ । ଯାହା ଏବେବି ତଦନ୍ତ ପରିସରଭୁକ୍ତ ରହିଛି ।
ତେବେ ସମ୍ପତ୍ତି ଜବତ ପରେ ଭିଜିଲାନ୍ସ ବୈକୁଣ୍ଠ ନାଥଙ୍କୁ ଅଟକ ରଖି ଜେରା କରିଥିଲା । ମାତ୍ର ସେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଗିରଫ କରାଯାଇଛି । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଥିଲେ ।