ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଦଳର ଦୁଇ ଷ୍ଟାର୍ ଖେଳାଳି କେ.ଏଲ୍. ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଚମତ୍କାର ଶତକ ହାସଲ କରିଛନ୍ତି। ରାହୁଲ ୧०० ରନର ଏକ ଦାୟିତ୍ୱବାନ ପାଳି ଖେଳି ଆଉଟ୍ ହୋଇଥିବା ବେଳେ, ଅଧିନାୟକ ଗିଲ୍ ଦିନର ଖେଳ ଶେଷ ହେବା ପୂର୍ବରୁ ନିଜର ଶତକ ପୂରଣ କରିଛନ୍ତି। ସେ ୧୧ଟି ଚୌକା ଓ ୧ଟି ଛକା ସହାୟତାରେ ୧୦୩ ରନ କରି ଅପରାଜିତ ରହିଛନ୍ତି।
ଏହି ଶତକ ସହ ଅଧିନାୟକ ଭାବେ ଶୁଭମନ ଗିଲ୍ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ଶତକ ମାରିଥିବା ଅଧିନାୟକଙ୍କ ତାଲିକାରେ ସେ ମହେନ୍ଦ୍ର ସିଂ ଧୋନି ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ଦିଗ୍ଗଜଙ୍କୁ ପଛରେ ପକାଇ ଟପ୍-୫ କ୍ଲବରେ ଏଣ୍ଟ୍ରି କରିଛନ୍ତି।
ଟେଷ୍ଟରେ ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିଥିବା ୫ ଭାରତୀୟ
୧. ବିରାଟ କୋହଲି (୨୦ ଶତକ)
ଏହି ତାଲିକାର ଶୀର୍ଷରେ ଅଛନ୍ତି ‘ରନ୍ ମେସିନ’ ବିରାଟ କୋହଲି। ସେ ୨୦୧୪ ରୁ ୨୦୨ ମଧ୍ୟରେ ୬୮ଟି ଟେଷ୍ଟ ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇ ସର୍ବାଧିକ ୨୦ଟି ଶତକ ଅର୍ଜନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୫୪ ରନ ରହିଥିଲା।
୨. ସୁନୀଲ ଗାଭାସ୍କର (୧୧ ଶତକ)
ଭାରତର ପୂର୍ବତନ ଦିଗ୍ଗଜ ଓପନର ସୁନୀଲ ଗାଭାସ୍କର ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୯୭୬ ରୁ ୧୯୮୫ ମଧ୍ୟରେ ସେ ୪୭ଟି ଟେଷ୍ଟରେ କାପ୍ତାନୀ କରି ଦଳ ପାଇଁ ୧୧ଟି ଦମଦାର ଶତକ ହାସଲ କରିଥିଲେ।
୩. ମହମ୍ମଦ ଆଜହାରୁଦ୍ଦିନ (୯ ଶତକ)
ପୂର୍ବତନ ଅଧିନାୟକ ମହମ୍ମଦ ଆଜହାରୁଦ୍ଦିନ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୧୯୯୦ ରୁ ୧୯୯୯ ମଧ୍ୟରେ ଭାରତ ପାଇଁ ୪୭ଟି ଟେଷ୍ଟରେ ନେତୃତ୍ୱ ନେଇ ୨୮୫୬ ରନ କରିବା ସହ ୯ଟି ଶତକ ଜମାଇଥିଲେ।
୪. ସଚିନ ତେନ୍ଦୁଲକର (୭ ଶତକ)
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମରେ ବିଶ୍ୱ କ୍ରିକେଟର ସର୍ବାଧିକ (୫୧) ଟେଷ୍ଟ ଶତକ ରହିଛି। କିନ୍ତୁ ଅଧିନାୟକ ଭାବେ ସେ ୨୫ଟି ଟେଷ୍ଟ ମ୍ୟାଚ୍ରୁ ୭ଟି ଶତକୀୟ ପାଳି ଖେଳିବାରେ ସଫଳ ହୋଇଥିଲେ।
୫. ଶୁଭମନ ଗିଲ୍ (୬ ଶତକ)
ଯୁବ ତାରକା ଶୁଭମନ ଗିଲ୍ ଅଧିନାୟକ ଭାବେ ନିଜର ମାତ୍ର ୯ମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଏହା ମଧ୍ୟରେ ସେ ୧୫ଟି ଇନିଂସରୁ ୬ଟି ଶତକ ହାସଲ କରି ସଚିନଙ୍କ ସହ ରେକର୍ଡ ବରାବର କରିବାକୁ ଯାଉଛନ୍ତି। ଗିଲ୍ ନିଜର ପ୍ରଥମ ଟେଷ୍ଟ ସିରିଜ୍ ଇଂଲଣ୍ଡ ବିପକ୍ଷରେ ଖେଳି ୪ଟି ଶତକ ମାରିଥିଲେ। ଏହାପରେ ୱେଷ୍ଟଇଣ୍ଡିଜ୍ ଏବଂ ଏବେ ଆଫଗାନିସ୍ତାନ ବିପକ୍ଷରେ ସେ ନିଜର ଶତକୀୟ ଯାତ୍ରା ଜାରି ରଖିଛନ୍ତି।