ନୂଆଦିଲ୍ଲୀ: ଦେଶର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଭିତରେ ସବୁକିଛି ଠିକ୍ ଚାଲିନାହିଁ। ଜୁନ୍ ୮ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ହାଇପ୍ରୋଫାଇଲ୍ ମେଣ୍ଟ ବୈଠକ ପୂର୍ବରୁ ଏକ ବଡ଼ ରାଜନୈତିକ ବିବାଦ ସାମ୍ନାକୁ ଆସିଛି। ତାମିଲନାଡୁର ଶାସକ ଦଳ ଡିଏମକେ କଂଗ୍ରେସ ଉପରେ "ବିଶ୍ୱାସଘାତକତା"ର ଆରୋପ ଲଗାଇ ଆଗାମୀ ବୈଠକକୁ ବର୍ଜନ କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ପରେ ବିରୋଧୀ ଶିବିରରେ ଚିନ୍ତା ବଢ଼ିଯାଇଥିବା ବେଳେ କଂଗ୍ରେସ ଏବେ ସ୍ଥିତି ସମ୍ଭାଳିବା ପାଇଁ ସଫେଇ ଦେବା ଆରମ୍ଭ କରିଛି।
କାହିଁକି ବିଗିଡ଼ିଲା ସମ୍ପର୍କ ?
ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଏକ ନିଷ୍ପତ୍ତିକୁ ନେଇ ଡିଏମକେ ସୁପ୍ରିମୋ ଏମ.କେ. ଷ୍ଟାଲିନଙ୍କ ଦଳ ପ୍ରବଳ କ୍ଷୁବ୍ଧ ଅଛି। ସୂଚନା ଅନୁଯାୟୀ, ନିର୍ବାଚନ ପରେ କଂଗ୍ରେସ ନିଜର ପୁରୁଣା ସହଯୋଗୀ ଡିଏମକେର ହାତ ଛାଡ଼ି ନୂଆକରି ଗଠିତ ହୋଇଥିବା ଟିଭିକେ (TVK) ସରକାରରେ ସାମିଲ ହୋଇଛି। କଂଗ୍ରେସର ଏଭଳି ଏକତରଫା ଆଭିମୁଖ୍ୟକୁ ଡିଏମକେ ନିଜ ଦଳୀୟ କର୍ମୀଙ୍କ ଭାବନା ପ୍ରତି କୁଠାରଘାତ ଏବଂ ବଡ଼ ବିଶ୍ୱାସଘାତକତା ବୋଲି ଅଭିହିତ କରିଛି।
ଦଳ ପକ୍ଷରୁ ଜାରି ଏକ କଡ଼ା ବିବୃତ୍ତିରେ କୁହାଯାଇଛି ଯେ, ଯେଉଁ ବୈଠକରେ କଂଗ୍ରେସ ଉପସ୍ଥିତ ରହିବ, ସେଥିରେ ଡିଏମକେ ସାମିଲ ହେବ ନାହିଁ। ସମ୍ପର୍କ ଏଭଳି ସ୍ତରକୁ ଚାଲିଯାଇଛି ଯେ, କେବଳ ବୈଠକ ବର୍ଜନ ନୁହେଁ, ବରଂ ଲୋକସଭାରେ କଂଗ୍ରେସ ସାଂସଦମାନଙ୍କ ସହ ନବସିବା ପାଇଁ ଡିଏମକେ ଜିଦ୍ ଧରିଛି। ଏଥିପାଇଁ ଦଳର ବରିଷ୍ଠ ନେତ୍ରୀ ତଥା ସାଂସଦ କନିମୋଝୀ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ସେମାନଙ୍କ ପାଇଁ ସଂସଦରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।
ମୁଣ୍ଡ ନୁଆଁଇଲା କଂଗ୍ରେସ !
ଡିଏମକେର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି ହୋଇଛି। ମେଣ୍ଟ ଭାଙ୍ଗିବା ଭୟରେ ଏବେ କଂଗ୍ରେସ ନେତୃତ୍ୱ ଡ୍ୟାମେଜ୍ କଣ୍ଟ୍ରୋଲ୍ରେ ଲାଗିପଡ଼ିଛନ୍ତି। ସର୍ବଭାରତୀୟ କଂଗ୍ରେସ କମିଟି (AICC)ର ତାମିଲନାଡୁ ପ୍ରଭାରୀ ଗିରିଶ ଚୋଡନକର ଗଣମାଧ୍ୟମକୁ କହିଛନ୍ତି ଯେ, ଡିଏମକେ ଏବେ ବି INDIA ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ସେମାନଙ୍କ ସହ ଆଲୋଚନା ଚାଲିଛି।
ଅନ୍ୟପଟେ ଡିଏମକେ ମଧ୍ୟ ସ୍ପଷ୍ଟ କରିଛି ଯେ, କଂଗ୍ରେସ ସହ ଆଞ୍ଚଳିକ ବିବାଦ ଥିଲେ ହେଁ, ନିଟ୍, ସୀମା ନିର୍ଦ୍ଧାରଣ ଏବଂ 'ୱାନ ନେସନ, ୱାନ ଇଲେକ୍ସନ' ଭଳି ଜାତୀୟ ପ୍ରସଙ୍ଗରେ ସେମାନେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶି ସ୍ୱର ଉତ୍ତୋଳନ ଜାରି ରଖିବେ।